ବୁଗୁଡ଼ା,୨୯।୦(ପୂର୍ଣ୍ଣଚନ୍ଦ୍ର ବାରିକ):ବୁଗୁଡ଼ା ବ୍ଲକ ପୋଚାଲୁଣ୍ଡି ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି, ବାଲିପଦର ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ଭଗବାନ ଜେନାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୋଚାଲୁଣ୍ଡି ସରପଞ୍ଚ ସୁଜାତା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଅଞ୍ଚଳର ଅବସରପ୍ରାପ୍ତ ୧୦୦ରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ସମ୍ବର୍ଦ୍ଧିତ ଗୁରୁଜନମାନେ ଶିକ୍ଷକ ଜୀବନର ଦୀର୍ଘ ଅନୁଭୂତି ଓ ଗୁରୁ-ଶିଷ୍ୟ ପରମ୍ପରାର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। “ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା କେବଳ ପାଠପଢ଼ାରେ ସୀମିତ ନୁହେଁ, ବରଂ ଏହା ମାର୍ଗଦର୍ଶନ, ନୈତିକତା ଓ ଆଧ୍ୟାତ୍ମିକତାର ଏକ ଅତୁଟ ବନ୍ଧନ। ଗୁରୁଙ୍କ ନିସ୍ୱାର୍ଥପର ଶିକ୍ଷା ଓ ଆଶୀର୍ବାଦ ବିନା ସମାଜର ସଠିକ୍ ପ୍ରଗତି ଏବଂ ମୂଲ୍ୟବୋଧଭିତ୍ତିକ ଚରିତ୍ର ଗଠନ ଅସମ୍ଭବ।”ଆଜିର ଛାତ୍ରଛାତ୍ରୀମାନେ ଉଚିତ୍ ଶିକ୍ଷା ଓ ସଂସ୍କାର ଗ୍ରହଣ କରି ଆଗାମୀ ଦିନରେ ନିଷ୍ଠାପର ନାଗରିକ ଭାବେ ଗଢ଼ିଉଠିବାକୁ ସେମାନେ ପରାମର୍ଶ ଦେଇଥିଲେ। ପୋଚାଲୁଣ୍ଡି ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ଏହି ସମ୍ବର୍ଦ୍ଧନା ଉତ୍ସବରେ ଲିଙ୍ଗରାଜ ଜେନା, ନବଘନ ମିଶ୍ର, ବିଜୟ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ଘଡ଼ାଇ, ବିପିନ ପଟ୍ଟନାୟକ, ଉମା ଚରଣ ପଟ୍ଟନାୟକ, ରାଜେନ୍ଦ୍ର ପ୍ରଧାନ, ବାପୁଜୀ ପରିଡ଼ା, ଗୌରୀ ଶଙ୍କର ଜେନା, ଦିଲ୍ଲୀପ କୁମାର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଭୋଳ, ନିକୁଞ୍ଜ ପ୍ରଧାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

