ବୋଲଗଡ଼,୯।୯(ସୁଶାନ୍ତ କୁମାର ପ୍ରଧାନ):ଓଡ଼ିଶାର ଗଣପର୍ବ ଓଷା ବ୍ରତ ମଧ୍ୟରେ ବୁଧେଇ ବା ବୁଧିବାମନ ଓଷା ଅନ୍ୟତମ। ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ଏହି ଓଷା ନିଷ୍ଠାର ସହ ପାଳନ କରାଯାଉଛି।ଭାଦ୍ରବ ମାସର ସବୁ ବୁଧବାର ଦିନ ଏହି ଓଷା ପାଳନ କରାଯାଏ। କେତେକ ସ୍ଥାନରେ ୪ ବୁଧବାର ଓ କେତେକ ସ୍ଥାନରେ ୫ ବୁଧବାର ପାଳନ ହୁଏ। ଅନେକ ଗହ୍ମାପୂର୍ଣ୍ଣିମା ଠାରୁ ଆରମ୍ଭ କରୁଥିବା ବେଳେ ଆଉ କେହି ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତି ପର୍ଯ୍ୟନ୍ତ ହିସାବ କରିଥାନ୍ତି। ଘରର ପୂଜାସ୍ଥଳୀକୁ ଗୋବରରେ ଲିପାପୋଛା କରି ଶୁଚି କରାଯାଏ। ଶିଳ ଓ ଶିଳପୁଆକୁ ଅଁଳା ହଳଦୀ ପାଣିରେ ସ୍ନାନ କରାଇ, ଚନ୍ଦନ, ସିନ୍ଦୁର, କଜ୍ୱଳ, କଉଡ଼ି ଓ ବିଭିନ୍ନ ଫୁଲରେ ସୁସଜ୍ଜିତ କରି ପୂଜା କରାଯାଏ। ପାଞ୍ଚ ପ୍ରକାର ଫୁଲ, ପାଞ୍ଚ ପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ, ପାଞ୍ଚଟି ବରକୋଳି ପତ୍ର ଓ ଅକ୍ଷତ ଆବଶ୍ୟକ ହୁଏ।ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା ଓ ବାମନ ହେଉଛନ୍ତି ଭୈରବ ଯିଏ ସ୍ୱୟଂ ଜଗନ୍ନାଥ। ତେଣୁ ଏହି ଓଷାର ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା। ସଧବା ମହିଳାମାନେ ସନ୍ତାନ ପ୍ରାପ୍ତି, ସନ୍ତାନର ଶୁଭ ମନାସିବା ଓ ମାନସିକ ପୂରଣ ପାଇଁ ଏହି ଓଷା କରିଥାନ୍ତି। ମା’ଙ୍କ ପାଖରେ ଗୁଆ ବସାଯାଏ।ନଡ଼ିଆ, କଦଳୀ, ମୁଆଁ, ଉଖୁଡ଼ା, ଖଇ, କାକରା ପିଠା ଭୋଗ ରୂପେ ବଢ଼ାଯାଏ। ପ୍ରଥମ ଦିନ ମା’ଙ୍କ ପାଖରେ ଗୋଟିଏ ନଡ଼ିଆ ବସାଯାଇ ଶେଷ ପାଳି ଦିନ ତାକୁ ଭାଙ୍ଗି ପାଞ୍ଚ ପ୍ରକାର ପିଠାପଣା କରି ପୂଜା କରାଯାଏ। ଦିନ ଯାକ ନିର୍ଜଳ ଉପବାସ ରହି ରାତିରେ ପୂଜା ପରେ ଭୋଗ ଖିଆଯାଏ। କୋଠିରେ ଅନେକ ମହିଳା ଏକତ୍ରିତ ହୋଇ ବୁଧେଇ ଓଷା ବହି ପାଠ କରିଥାନ୍ତି।

