ଫୁଲବାଣୀ,୨୪।୮(ସୁନୀଲ ପଟ୍ଟନାୟକ):ସାମ୍ବାଦିକମାନଙ୍କ ପାଇଁ ଦୀର୍ଘବର୍ଷ ଧରି ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ସ୍ୱତନ୍ତ୍ର ସୁବିଧା ଅବ୍ୟାହତ ରଖିବାକୁ ଦାବି ଜୋରଦାର ହୋଇଛି। ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ଅନ୍ୟ ସାଧାରଣ ସ୍ୱାସ୍ଥ୍ୟ ଯୋଜନା ସହିତ ଏକୀକୃତ କରାଯିବା କିମ୍ବା ଏହାର ସ୍ୱରୂପରେ ପରିବର୍ତ୍ତନ ଅଣାଯିବା ନେଇ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମହଳରେ ଉଦ୍ବେଗ ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ସାମ୍ବାଦିକ ଓ ସଦସ୍ୟମାନଙ୍କୁ ନେଇ ରବିବାର ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସ କ୍ଲବ ଠାରେ ବରିଷ୍ଠ ସାମ୍ବାଦିକତଥାଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟ କାରୀ ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ବିଭିନ୍ନ ସଙ୍ଘ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ମଞ୍ଚ ଗଠନ କରିବା ସହ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧା ଓ ବୃତ୍ତି ଗତ ସୁରକ୍ଷାପ୍ରଦାନ ପାଇଁ ସାମୂହିକ ଭାବେ ପ୍ରତିବାଦ ଓ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ସଦସ୍ୟ ଓ ସାମ୍ବାଦିକମାନେ ଏହି ବୈଠକରେ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ lସାମ୍ବାଦିକ ମାନଙ୍କ କହିବା କଥା ହେଲା ଯେ, ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କେବଳ ଏକ ସାଧାରଣ ବୀମା ସୁବିଧା ନୁହେଁ, ବରଂ ରାଜ୍ୟର ସାମ୍ବାଦିକ କଲ୍ୟାଣ ବ୍ୟବସ୍ଥାର ଏକ ସ୍ୱତନ୍ତ୍ର ଅଂଶ। ବିଶେଷକରି ଜିଲ୍ଲା ଓ ଗ୍ରାମାଞ୍ଚଳରେ ସୀମିତ ସାଧନ ମଧ୍ୟରେ କାର୍ଯ୍ୟରତ ସ୍ୱତନ୍ତ୍ର ଓ ସ୍ୱଳ୍ପ ପାରିଶ୍ରମିକପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ଏହି ସୁବିଧା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ସୁବିଧାରେ କୌଣସି ପରିବର୍ତ୍ତନ ହେଲେ ବର୍ତ୍ତମାନର ବୀମା କଭରେଜ୍, ପରିବାର ସଦସ୍ୟଙ୍କ ସୁବିଧା, କ୍ୟାଶଲେସ୍ ଚିକିତ୍ସା, ହସ୍ପିଟାଲ ସୁବିଧା, ଓ ଚିକିତ୍ସା ଦାବି ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା l ବିଶେଷକରି ସ୍ୱତନ୍ତ୍ର ଭାବେ କାର୍ଯ୍ୟରତ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି।ସାମ୍ବାଦିକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ସାମ୍ବାଦିକମାନଙ୍କ ପାଇଁ ଦୀର୍ଘଦିନ ଧରି ରହିଥିବା ସ୍ୱତନ୍ତ୍ର କଲ୍ୟାଣମୂଳକ ବ୍ୟବସ୍ଥାର ସୁବିଧା କୌଣସି ପ୍ରକାରେ ହ୍ରାସ ନପାଇବା ଓ ସାମ୍ବାଦିକଙ୍କ ଅଧିକାର ସୁରକ୍ଷିତ ରହିବା ଆବଶ୍ୟକ।ବୈଠକରେ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ସୁବିଧାର ସ୍ଥିତି, ପ୍ରସ୍ତାବିତ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବ, ସାମ୍ବାଦିକମାନଙ୍କ ଅଧିକାର ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା କରାଯିବ। ଏହା ସହିତ ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଗଠନକୁ ନେଇ ଏକ ମିଳିତ ମଞ୍ଚ ଗଠନ କରଯାଇଥିଲା ଏବଂ ଆଗlମୀ ସେପ୍ଟେମ୍ୱର ୨୩ବୁଧବାର ଫୁଲବାଣୀ ଠାରେ ଜିଲ୍ଳାର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକରlଲି ସହ ଧାରଣା ଦିଆଯିବ l ଏଥି ସହ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୂଖ୍ୟମନ୍ତ୍ରୀ/ରାଜ୍ୟପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ନେଇ ନିଷ୍ପତ୍ତି ହୋଇଛି lସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ସାମ୍ବାଦିକ ସଂଗଠନଗୁଡ଼ିକ ସହ ଆଲୋଚନା କରି ଏକ ସ୍ପଷ୍ଟ ଓ ସାମ୍ବାଦିକ-ହିତୈଷୀ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ସେହିପରି, ପୂର୍ବରୁ ମିଳୁଥିବା ସମସ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଅକ୍ଷୁଣ୍ଣ ରଖିବା ସହ ସ୍ୱତନ୍ତ୍ର ଓ ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କ ସ୍ୱାର୍ଥକୁ ବିଶେଷ ଗୁରୁତ୍ୱ ଦେବାକୁ ସାମ୍ବାଦିକ ମହଳରୁ ଦାବି ଉଠିଛି। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସୁଜିତ୍ କୁମାର ବେହେରା, ରଞ୍ଜନ ପ୍ରଧାନ, ଅଶୋକ ମହାନ୍ତି, ମୋନୋଜ୍ ଗୌଡ, ତ୍ରିନାଥ ସାହୁ, ସୋନ୍ତଶ ଦିଗାଲ, ସୂର୍ଯ୍ୟ ନାରାୟଣ ବେହେରା, ଅଜିତ କୁମାର ମହାରଣା ପ୍ରଭାତ ନନ୍ଦ, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l

