ଜଗନ୍ନାଥ ପ୍ରସାଦ,୧୩।୦୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତରଫ ଗାଁରେ ଏକ କୋଠାଘର ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।ଗ୍ରାମର ସନ୍ତୋଷ ପ୍ରଧାନ ଙ୍କ ଘର ସମ୍ମୁଖରେ ଗ୍ରାମର କୋଠାଘର ନିର୍ମାଣ ଦାବିରେ ଗାଁର ସମସ୍ତ ମହିଳା ଓ ପୁରୁଷ ଏକାଠି ହୋଇ ରାସ୍ତା ଉପରେ ଧାରଣାରେ ବସିଛନ୍ତି। ଫଳରେ ସମଗ୍ର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଗାଁରେ ପୁଲିସ ଛାଉଣୀ ହୋଇଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ସାଧାରଣ ସୁବିଧା ଓ କାର୍ଯ୍ୟକ୍ରମ ପାଇଁ ଏହି କୋଠାଘରଟି ନିର୍ମାଣ କରାଯାଉଥିଲା। ମାତ୍ର ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗ୍ରାମବାସୀମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ କୋଠାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଆରମ୍ଭ ହୋଇ ଶେଷ ନହୋଇଛି, ସେପର୍ଯ୍ୟନ୍ତ ସେମାନେ ଧାରଣା ସ୍ଥଳରୁ ଆଦୌ ଉଠିବେ ନାହିଁ। ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଏହି ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମର ସନ୍ତୋଷ ପ୍ରଧାନ ଥାନାରେ ଏକ ଏଫ୍ଆଇଆର୍ ଦାୟର କରିବା ପରେ ବିବାଦ ଆହୁରି ଜଟିଳ ହୋଇପଡ଼ିଛି। ସୂଚନା ପ୍ରକାରେ ଗ୍ରାମର ସନ୍ତୋଷ ପ୍ରଧାନଙ୍କ ଘର ସମ୍ମୁଖରେ ଏକ କୋଠ ଘର ନିର୍ମାଣ ପାଇଁ ଗ୍ରାମ ସଭା ମାଧ୍ୟମରେ ସ୍ଥିରିକୃତ ହୋଇଥିଲା, ପରବର୍ତ୍ତୀ ସମୟରେ ଗାଁ ସଭାପତିଙ୍କ ନେତୃତ୍ୱରେ କୋଠ ଘର ନିର୍ମାଣ ପାଇଁ ସନ୍ତୋଷ ପ୍ରଧାନ ଙ୍କ ଘର ଯା’ଆସ କରିବା ସକାଶେ ଜାଗା ଛାଡି ସ୍ଥାନ ନିରୁପଣ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସଭାପତିଙ୍କ କଥାକୁ ବେଖାତିରି କରି କିଛି ଲୋକ ପୁଣି ସ୍ଥାନ ନିରୁପଣ କରାଯାଇଥିବା ସ୍ଥାନ ଠାରୁ ଅଧିକା ଜାଗା ଖୋଳିବା ବେଳେ ଯିବା ଆସିବା ରାସ୍ତା ବନ୍ଦ ହେଉଥିବା ରୁ ସନ୍ତୋଷ ପ୍ରଧାନ ପ୍ରତିବାଦ କରିବା ସହ ଆଇନ ର ଦ୍ୱାରସ୍ଥ ହୋଇ ଥିଲେ ସନ୍ତୋଷଙ୍କ ଏଫ୍ଆଇଆର୍ ଦାୟର ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଦ୍ୱିଗୁଣିତ ହୋଇଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ଜଗନ୍ନାଥ ପ୍ରସାଦ ଥାନାର ଆଇ ଆଇ ସି ପ୍ରମୋଦ କୁମାର ଲେଙ୍କାଙ୍କ ନେତୃତ୍ୱରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଭୟ ଆନ୍ଦୋଳନକାରୀ ଗ୍ରାମବାସୀ ଏବଂ ଅଭିଯୋଗକାରୀ ସନ୍ତୋଷ ପ୍ରଧାନଙ୍କ ସହ ପୃଥକ ପୃଥକ ଆଲୋଚନା ଚଳାଇଥିବା ଦେଖିବାକୁ ମିଳିଥିଲା। ସନ୍ତୋଷ ପ୍ରଧାନଙ୍କ ଯାତାୟାତ ବାଧାପ୍ରାପ୍ତ ନହୋଇ କିପରି ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ କରାଯାଇପାରିବ ସେ ନେଇ ଆଡିସନାଲ୍ ଏସପି ରଞ୍ଜନ କୁମାର ଦେ,ଏସ୍ ଡି ପି ଓ ଡ଼ଃ ଦିପକ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝସୁଝା କରିବା ସହ ନିର୍ମାଣଧିନ କୋଠ ଘର କାର୍ଯ୍ୟ କୁ ସ୍ଥଗିତ ରଖିଛନ୍ତି।

