ଚିକିଟି,୬।୮(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକର ବିଭିନ୍ନ ନଦୀଘାଟରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଚାଲିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ଅଭିଯୋଗ ଉଠିଛି। ରାତି ଓ ଭୋର ସମୟରେ ଟ୍ରାକ୍ଟର ଏବଂ ହାଇୱା ଯୋଗେ ବାଲି ପରିବହନ ହେଉଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି।ଅଭିଯୋଗ ଅନୁଯାୟୀ, ବେଆଇନ ବାଲି କାରବାର ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ସମ୍ପୃକ୍ତ ଖଣି ବିଭାଗ ଓ ପ୍ରଶାସନ ପକ୍ଷରୁ ଦୃଶ୍ୟମାନ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କଳିଙ୍ଗଦଳା ଡେମ ରେ ରାତିରେ ପାଣିଚାଷୀ ଙ୍କ ଜମିକୁ ନ ଛାଡି ଅନ୍ୟ ବାଟରେ ପାଣି ଛାଡି ବାଲି ମାଫିଆ ମାନେ ବାଲି ଚୋରି କରୁଛନ୍ତି.ବିଏନ୍ଏସ୍ର ଧାରା–୧୬୩ ଲାଗୁ ଥିବା ସତ୍ତ୍ୱେ ଏହାର ପାଳନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିବା କୁହାଯାଉଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅବାଧ ବାଲି ଉତ୍ତୋଳନ ଯୋଗୁଁ ନଦୀର ପରିବେଶ ସନ୍ତୁଳନ ବ୍ୟାହତ ହେଉଥିବା ସହ ସରକାରୀ ରାଜସ୍ୱ କ୍ଷତି ଏବଂ ରାସ୍ତାଘାଟର କ୍ଷୟକ୍ଷତି ମଧ୍ୟ ବଢ଼ୁଛି। ବେଆଇନ ବାଲି କାରବାର ପଛରେ କାହାର ସହଯୋଗ ରହିଛି କି ନାହିଁ, ସେ ନେଇ ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି

