ବେଗୁନିଆପଡ଼ା,୧୫।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଚିଙ୍ଗୁଡ଼ିଖୋଲ ହାଇସ୍କୁଲ ଛକଠାରୁ ଝରନଇ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଏବେ ଦୁର୍ଦ୍ଦଶାରେ ପରିଣତ ହୋଇଛି। ନଦୀବନ୍ଧ ପଟେ ଚିଙ୍ଗୁଡ଼ିଖୋଲ ଲୋକଙ୍କ ଚାଷଜମି ଥିବାରୁ ପ୍ରତିଦିନ ଚାଷୀମାନେ ଜମିକୁ ଯିବାଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଆବଶ୍ୟକତା ଥିବା ସତ୍ତ୍ୱେ ଏଠାରେ ଏକ ସୁବିଧାଜନକ ରାସ୍ତା ନିର୍ମାଣ ହୋଇନାହିଁ। ଜମି ଥିଲେ ବି ଜମିକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଚାଷୀଙ୍କ ଯନ୍ତ୍ରଣା ବଢ଼ିଚାଲିଛି। ଚାଷ ସମୟରେ ଚାଷ ସାମଗ୍ରୀ ନେବାଠାରୁ ଆରମ୍ଭ କରି ଉତ୍ପାଦିତ ଫସଲ ଆଣିବା ପର୍ଯ୍ୟନ୍ତ ଲୋକଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ୁଛି।ଲୋକଙ୍କ ପାଇଁ ରାସ୍ତା କେବଳ ଏକ ଦାବି ନୁହେଁ, ଏହା ତାଙ୍କ ଦୈନନ୍ଦିନ ଆବଶ୍ୟକତା। ଏତେ ଲୋକଙ୍କ ଯାତାୟାତ ସମସ୍ୟା ଥିବା ସତ୍ତ୍ୱେ ରାସ୍ତା ନିର୍ମାଣ ନେଇ ପ୍ରଶାସନିକ ପଦକ୍ଷେପ ନ ହେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି, ଆଉ କେତେଦିନ ଏମିତି ରାସ୍ତା ପାଇଁ ଅପେକ୍ଷା କରିବେ ଚିଙ୍ଗୁଡ଼ିଖୋଲବାସୀ? ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଚିଙ୍ଗୁଡ଼ିଖୋଲ ହାଇସ୍କୁଲ ଛକଠାରୁ ଝରନଇ ନଦୀବନ୍ଧ ପର୍ଯ୍ୟନ୍ତ ତୁରନ୍ତ ଏକ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

