ବେଗୁନିଆପଡ଼ା,୧୩।୯(ବାପୁନି ମାଲୁ):ବର୍ଷା ହେଲେ ଚିଙ୍ଗୁଡ଼ିଖୋଲ ମୁଖ୍ୟ ରାସ୍ତାରେ ଅଣ୍ଟେ ପାଣି। ରାସ୍ତା ଉପରେ ଜଳବନ୍ଦୀ ଅବସ୍ଥା ଯୋଗୁଁ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟତ ଯାଏଁ ସବୁକିଛି ପ୍ରଭାବିତ।ଏହି ରାସ୍ତା ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ। ଉସ୍ତାଳିର ଛାତ୍ରଛାତ୍ରୀ ଚିଙ୍ଗୁଡ଼ିଖୋଲକୁ ପାଠ ପଢ଼ିବାକୁ ଆସୁଥିବା ବେଳେ ଚିଙ୍ଗୁଡ଼ିଖୋଲର ପିଲାମାନେ ମଧ୍ୟ କଲେଜ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି । ପାଣିରେ ଲୋକଙ୍କ ଯନ୍ତ୍ରଣା ବଢୁଛି କିନ୍ତୁ ପ୍ରଶାସନର ନିରବତା ଭାଙ୍ଗୁନି। ସମସ୍ୟା ପ୍ରତି ଅଧିକାରୀଙ୍କ ନଜର କେବେ ପଡ଼ିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଲୋକେ ପାଣିରେ ଯାତାୟତ କରୁଛନ୍ତି, ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି; ତଥାପି ପ୍ରଶାସନର ନିରବତା କାହିଁକି? ତୁରନ୍ତ ସମସ୍ୟାର ସମାଧାନ ଏବଂ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ଦାବି କରିଛନ୍ତି ଅଞ୍ଚଳବାସୀ।

