ଖୋରଧା,କ୨୬/୦୬(କେଦାର ନାଥ ସାହୁ):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଠିକାଦାରଙ୍କ ସହଯୋଗୀଙ୍କ ଦାଦାଗିରି, ଅସଭ୍ୟ ବ୍ୟବହାର, ଗାଳିଗୁଲଜ ଓ ଜୀବନ ପ୍ରତି ଧମକ ଦେବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖୋରଧାର ପ୍ରଧାନ ଆଚାର୍ଯ୍ୟ ଗିରିଜା କୁମାର ମହାପାତ୍ର ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସୁରକ୍ଷା ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ବି.ଏସ.ଏନ.ଏଲ କାର୍ଯ୍ୟାଳୟ ନିକଟରେ ବିଦ୍ୟାଳୟର ଏକ ଅସ୍ଥାୟୀ ସାଇକେଲ ଷ୍ଟାଣ୍ଡ ରହିଛି। ବହୁଦିନ ଧରି ସେଠାରେ ଅନାବନା ଗଛଲତା ଓ ମାଟି ଜମି ରହିଥିବାରୁ ସ୍ୱଚ୍ଛତା ଦୃଷ୍ଟିରୁ ସେଗୁଡ଼ିକୁ ସଫା କରି ରାସ୍ତା ପାର୍ଶ୍ୱରେ ଅସ୍ଥାୟୀ ଭାବେ ରଖାଯାଇଥିଲା। ସେହି ସମୟରେ ବି.ଏସ.ଏନ.ଏଲ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନ ନିର୍ମାଣ କାମ ଚାଲିଥିଲା। ପ୍ରଧାନ ଆଚାର୍ଯ୍ୟଙ୍କ ଅଭିଯୋଗ ମୁତାବକ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଠିକାଦାରଙ୍କ ସହଯୋଗୀ ଭାବେ ପରିଚିତ ଜଣେ ବ୍ୟକ୍ତି ସେଠାକୁ ଆସି ସାଇକେଲ ଷ୍ଟାଣ୍ଡ ଓ ମାଟି ଗଦାକୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସେ ଧକ୍କା ମାରିବା ସହ “ଚିହ୍ନବର୍ଣ୍ଣ ମିଶାଇଦେବୁ” ବୋଲି ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଘଟଣା ପରେ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟ କୁ ଫେରିଆସିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ପୁଣି ସ୍କୁଟିରେ ଆସି ବିଦ୍ୟାଳୟ ସମ୍ମୁଖରେ ଗାଳିଗୁଲଜ କରିବା ସହ “ପୋଲିସ୍କୁ କହିଲେ ମଧ୍ୟ ମୋର କିଛି ହେବନି” ବୋଲି ଖୋଲାଖୋଲି ଧମକ ଦେଇଥିବା ଅଭିଯୋଗ କରାଯାଇଛି। ଏହାପରେ ଜେସିବି ମେସିନ୍ରେ ମାଟି ଆଣି ସ୍କୁଲ ଫାଟକ ସମ୍ମୁଖରେ ଗଦା କରାଯାଇଥିଲା, ଯାହା ଫଳରେ ବିଦ୍ୟାଳୟର ସ୍ୱାଭାବିକ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଥାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ପରେ ଆଦର୍ଶ ଥାନାର ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରି ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଜେସିବି ମାଧ୍ୟମରେ ମାଟି ଉଠାଯାଇଥିବା ଜଣାପଡ଼ିଛି।ଅଭିଯୋଗରେ ଦର୍ଶାଯାଇଛି ଯେ, ସମ୍ପୃକ୍ତ ବ୍ୟକ୍ତି “ମାରି ଡ୍ରେନ୍ରେ ପୋତିଦେବୁ” ଏବଂ “ସାଇକେଲ ଷ୍ଟାଣ୍ଡ ଭାଙ୍ଗିଦେବୁ” ବୋଲି ଧମକ ଦେଇଥିବାରୁ ପ୍ରଧାନ ଆଚାର୍ଯ୍ୟ, ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅସ୍ଥାୟୀ ସାଇକେଲ ଷ୍ଟାଣ୍ଡ ବ୍ୟବହାର କରୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଛି।ଏହି ପରିସ୍ଥିତିରେ ପ୍ରଧାନ ଆଚାର୍ଯ୍ୟ ଆଦର୍ଶ ଥାନା ପୋଲିସ୍ଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଦ୍ୟାଳୟ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛନ୍ତି।

