୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଉପଭୋକ୍ତା, କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବୁଝାସୁଝା ପରେ ଅବରୋଧ ଉଠିଲା
କରଞ୍ଜିଆ,୧୪/୫,(ରିଙ୍କୁ ବାବୁ):କରଞ୍ଜିଆ ବ୍ଲକ ତାଟୋ ପଞ୍ଚାୟତରେ ଉପଭୋକ୍ତାଙ୍କୁ ଚାଉଳ ଦେବାର ଅନିୟମିତତା ଦର୍ଶାଇ ଉପଭୋକ୍ତା ମାନେ ଆଜି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। କେଉଁ କେଉଁ ଉପଭୋକ୍ତାମାନଙ୍କୁ ୩ ମାସର, କେଉଁ ମାନଙ୍କୁ ୨ ମାସର ଓ ଆଉ କାହାକୁ ୧ ମାସର ଚାଉଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଅଭିଯୋଗ କରିଥିଲେ ଉପଭୋକ୍ତା ଗଣ। ତେବେ ଏହି ବିଷୟରେ କରଞ୍ଜିଆ ଅତିରିକ୍ତ ଯୋଗାଣ ଅଧିକାରୀ ସୁଶିଲ କୁମାରଙ୍କ ମତାମତ ନେବାରୁ ମେ ମାସର ସମ୍ପୁର୍ଣ୍ଣ କୋଟା ଏବଂ ଜୁନ ମାସର ଅସମ୍ପୂର୍ଣ୍ଣ କୋଟା ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ଉପଭୋକ୍ତା ମାନେ ସମ୍ପୂର୍ଣ କୋଟା ଚାଉଳ ଦେବାକୁ ଜିଦ୍ ଧରି ବସିଛନ୍ତି। ଆଜି ତାଟୋ ପଞ୍ଚାୟତର ୧୧ ଟି ୱଡ ମଧ୍ୟରୁ ୭ ନମ୍ବର ୱଡ ଉପଭୋକ୍ତା ମାନଙ୍କୁ ଚାଉଳ ଦେବାର ବାରି ରହିଛି ବୋଲି ବିଭାଗ ପକ୍ଷରୁ ୱଡ ସଭ୍ୟଙ୍କୁ ଜଣାଇ ଦିଆଯାଇଥିଲା। ମାତ୍ର ବହୁ ୱଡର ଲୋକେ ଚାଉଳ ନେବାକୁ ଆସି ଚାଉଳ ଦେବାକୁ ଜିଦ୍ ଧରିଥିଲେ ଏବଂ ବିଭାଗ ପକ୍ଷରୁ ସେମାନଙ୍କୁ ଚାଉଳ ଦେବାକୁ ବାଧ୍ୟ କରିଥିଲେ। ଜୁନ୍ ମାସର ସମ୍ପୁର୍ଣ୍ଣ କୋଟା ଚାଉଳ ନଥିବାରୁ ସମସ୍ତଙ୍କୁ ସମାନ ପରିମାଣର ଚାଉଳ ଦିଆ ଯାଇ ପାରିନଥିଲା । ତେଣୁ ଉପଭୋକ୍ତାଗଣ ଅସନ୍ତୋଷ ବ୍ୟକ୍ତ କରି ଜାତୀୟ ରାଜପଥ ଅବରୋଧ କରିଥିଲେ ବୋଲି କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ନାୟକ,ଏମ ଆଇ ଜମୁନା ମୁର୍ମୁ ଓ ଯୋଗାଣ ସହାୟକ ଶଙ୍କର୍ଷଣ ସେଠୀ ସୂଚନା ଦେଇଥିଲେ। ଏହାଛଡ଼ା ଅନେକ ସମୟରେ ନେଟୱର୍କ ସମସ୍ୟା ରହିଥିବା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେମାନେ କହିଥିଲେ। ତେବେ ଶ୍ରୀ ନାୟକ ଅସନ୍ତୋଷ ଉପଭୋକ୍ତା ମାନଙ୍କୁ ବୁଝାସୁଝା କରି ଚାଉଳ ଆସୁଛି ଏବଂ ଉପଯୁକ୍ତ ପରିମାଣର ଚାଉଳ ପ୍ରଦାନ ସମସ୍ତଙ୍କୁ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେବାପରେ ଅବରୋଧ ଉଠିଥିଲା ଏବଂ ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା।

