କଳାହାଣ୍ଡି,କୋକସରା,୨୯/୦୩: (ରୁପେନ୍ଦ୍ର ସୁନାନୀ): ଗୋଷ୍ଠୀ ବିବାଦ ଦେଖା ଦେବାରୁ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ରରେ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ପ୍ରଶାସନ କଟକଣା ଜାରି କରିଛି ।ଫଳରେ ଶ୍ରୀରାମ ମନ୍ଦିରର ମୂଖ୍ୟ ଦ୍ୱାରର ତାଲା ଖୋଲା ଯାଇ ନଥବା ଓ ଶ୍ରୀରାମଙ୍କ ପୂଜାର୍ଚ୍ଚନା ହୋଇ ନଥବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ମୁଖ୍ୟ ଫାଟକ ସମେତ ସମସ୍ତ ସ୍ଥାନରେ ପୋଲିସ ଛାଉଣୀ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସର ବ୍ୟତୀତ ଅନ୍ୟ ସ୍ଥାନକୁ ଯିବାକୁ ଛଡା ଯାଉନାହିଁ। ଏନେଇ ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ଥିବା କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନେ ପୂଜା କରି ପାରିବେ ବୋଲି କହିବା ସହ ଆଇନ ଶୃଙ୍ଖଳା କୁ ନଜରରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି କହିଥିଲେ। ତେବେ ମଧ୍ୟାହ୍ନରେ ଦକ୍ଷିଣ ବନଖଣ୍ଡ ଏସିଏଫ ଓ ଧର୍ମଗଡ ବନଖଣ୍ଡ ଅଧିକାରୀ ଭବାନୀ ଶଙ୍କର କାଉର୍ ମନ୍ଦିର ପରିସରରେ ପହଞ୍ଚିବା ପରେ ମଧ୍ୟ ମନ୍ଦିରର ତାଲା ଖୋଲା ଯାଇ ନଥିଲା। ରାମ ନବମୀ ପରିଚାଳନା ଦାୟିତ୍ୱରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,କୋକସରା ବିଡ଼ିଓ ଡ଼ ହିମାଞ୍ଚଲ ମାଝୀ,ଧର୍ମଗଡ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଧର୍ମଗଡ ଏସଡିପିଓ ଭାର୍ଷିତା ଆଡ଼େପୁ, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ, ଆଇଆରବି ଯବାନ ମାନେ ମୁତୟନ ରହିଥିଲେ। ତେବେ ଦୁଇ କମିଟିର ବିବାଦ ଯୋଗୁଁ ବର୍ଷ ବର୍ଷର ପରମ୍ପରା ରେ ବିଶୃଙ୍ଖଳା ଦେଖା ଦେଇଥିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସମାଧାନ କରି ପାରି ନ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

