ଭଞ୍ଜନଗର,୨୬।୧୦(ନିଲୁ ବିଷୋୟୀ):ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣକୁ ଭଞ୍ଜନଗର ପୁଲିସ୍ କାବୁ କରିଛି। କନ୍ଧମାଳ ଜିଲ୍ଲାରୁ ଭଞ୍ଜନଗରକୁ ବିଭିନ୍ନ ଗଳା ବାଟ ଦେଇ ଚାଲାଣକାରୀ ମାନେ ଗଞ୍ଜେଇ ନେଇ ଭୂବନେଶ୍ବର ସମେତ ରାଜ୍ୟ ବାହାରକୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଅନେକ ଗଞ୍ଜେଇ ଚାଲାଣକାରୀକୁ ପୁଲିସ ପୂର୍ବରୁ କାବୁ କରିଥିଲେ ମଧ୍ୟ ଏହାର ମୂଳରେ ପହଞ୍ଚିବାରେ ସକ୍ଷମ ହୋଇପାରୁନି। ତେବେ କଳିଙ୍ଗା ଘାଟି ରାସ୍ତା ଭୂସ୍ଖଳନ ପାଇଁ ବନ୍ଦ ରହିଥିବା ବେଳେ ବିକଳ୍ପ ଗାଁ ଗହଳି ବାଟ ଦେଇ କନ୍ଧମାଳ ଜିଲ୍ଲାରୁ ଚାଲାଣକାରୀ ମାନେ ଗଞ୍ଜେଇ ନେବା ପାଇଁ ପନ୍ଥା ବାହାର କରିଥିବା ଅନୁମାନ କରାଯାଉଛି। ପୁଲିସ ଡହ-ବାଇବାଲି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ୨ ଟି ବାଇକରେ ଆସୁଥିବା ସନ୍ଦିଗ୍ଧ ୨ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ସେମାନେ ଧରିଥିବା ବସ୍ତାରେ ଗଞ୍ଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇଲାକାର ସମନ ପ୍ରଧାନ,ଟିକାବାଲି ଥାନା ଅଞ୍ଚଳର ଉଦ୍ଦେଶ୍ବର ପ୍ରଧାନ। ସେମାନଙ୍କ ଠାରୁ ୫୧.୧୮୦ ଗ୍ରାମ ଗଞ୍ଜେଇ ସହ ୨ ଟି ମଟରସାଇକଲ ଜବତ କରିବା ସହ କେସ ନମ୍ବର ୧୧୬୪/୨୬ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ବାରମ୍ବାର ଏଭଳି ଘଟଣା ଧରାପଡୁଥିବାରୁୁ ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ରୋକିବା ପାଇଁ ପୁଲିସର ତଦାରଖ ଓ ପାଟ୍ରୋଲିଂ ବୃଦ୍ଧି ସହ ସ୍ବତନ୍ତ୍ର ରଣନୀତି ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

