ଭଞ୍ଜନଗର,୨୪/୦୬(ନିଲୁ ବିଷୋୟୀ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଧନଞ୍ଜୟପୁର ଶାସନ ଗ୍ରାମରେ ଶିବ ଓ ପାର୍ବତୀଙ୍କ ଦିବ୍ୟ ବିବାହ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ସଭାପତି ଶରତ ଚନ୍ଦ୍ର ମିଶ୍ର କନ୍ୟାପିତା ଭାବେ ଏହି ଶୁଭ ବିବାହ କାର୍ଯ୍ୟକର୍ମ ପରିଚାଳନା କରିଥିବାବେଳେ ଗ୍ରାମର ଟ୍ରଷ୍ଟୀ ମଣ୍ଡଳ, ଯୁବକ ବୃନ୍ଦ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାର ସହାୟତା କରିଥିଲେ । ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ପ୍ରକାରେ ଗତ ୧୮ ତାରିଖରେ ଶିବ ବିବାହ ୧୯ ରେ ଶୀତଳ ଷଷ୍ଠୀ ମଣୋହୀ ଏବଂ ୨୧ ଓ ୨୨ ଦୁଇ ଦିନ ଧରି ଗ୍ରାମରେ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଠାକୁରଙ୍କ ପ୍ରତିମା ସୁସଜ୍ଜିତ ବିମାନରେ ବିଜେ ହୋଇ ବାଦ୍ୟ ରୋଷଣୀ ଘଣ୍ଟ ଓ ମନ୍ତ୍ରଧ୍ୱନୀ ସହିତ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସଖିନାଚ, ସୁଭଦ୍ରା ପରିଣୟ ଏବଂ କୃଷ୍ଣ ଲୀଳା ଆଦି ପାରମ୍ପରିକ ଲୋକନୃତ୍ୟ ଆୟୋଜିତ ହୋଇ ଭକ୍ତମାନଙ୍କ ଚିତାକର୍ଷକ ହୋଇଥିଲା । ଉତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶାନ୍ତି ଏବଂ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ତାରାସିଂ ଥାନା ପୋଲିସ ସହାୟତା କରିଥିଲେ।

