ଖଜୁରୀପଡ଼ା,୨୫।୧୦(ମନୋଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ ପଞ୍ଚାୟତର ପେନାବାଲି ଗ୍ରାମରେ ମାଇ ଭାରତ, କନ୍ଧମାଳ ପକ୍ଷରୁ ନିଶାମୁକ୍ତ ଯୁବ ସମାଜ ଗଠନ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସତ୍ୟବାନ ଦଳବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଥାନାର ଏସ୍ଆଇ ପୂର୍ଣ୍ଣବାସୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବ୍ଲକ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ରାଈ କିଶୋର ପ୍ରଧାନ, ପେନାବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜିତ କୁମାର ଦେହୁରୀ, ପେନାବାଲି ଉଚ୍ଚ ପ୍ରାଥମିକ ସହକାରୀ ଶିକ୍ଷୟିତ୍ରୀ କୁନ୍ତୀ ମଳିକ, କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସମ୍ପାଦକ ତଥା ସମାଜସେବୀ ଅଚ୍ୟୁତ ଜାନୀ, ଖଜୁରୀପଡ଼ା ସାମ୍ବାଦିକ ମନୋଜ କୁମାର ବେହେରା, ବୀରପ୍ରତାପ ଯୁବକ ସଂଘର ସଭାପତି ଅନନ୍ତ ଦେହୁରୀ, କନଷ୍ଟେବଳ ଫକୀରମୋହନ କହଁର ଓ ଗୃହରକ୍ଷୀ ବିରୁପାକ୍ଷ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ ଯୁବପିଢ଼ି ଦେଶର ଭବିଷ୍ୟତ ଏବଂ ସମାଜର ମେରୁଦଣ୍ଡ। ତେଣୁ ସେମାନଙ୍କୁ ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ନିଶା ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଓ ବିଭିନ୍ନ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଏଣୁ ଯୁବକମାନେ ନିଶାଠାରୁ ଦୂରେଇ ରହି ଶିକ୍ଷା, କ୍ରୀଡ଼ା, ଯୋଗ, ବ୍ୟାୟାମ ଓ ସମାଜସେବା ଭଳି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଉଚିତ। ସ୍ୱାସ୍ଥ୍ୟ ପ୍ରତିନିଧି ରାଇକିଶୋର ପ୍ରଧାନ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ବିସ୍ତୃତ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢ଼ିଙ୍କୁ ସକାରାତ୍ମକ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ନିଶାର କୁପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମରେ ବକ୍ତୃତା, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାଇ ଭାରତ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ମାଇ ଭାରତର ବ୍ଲକ କୋର୍ଡିନେଟର ଗୋଲକ ପ୍ରଧାନ, ବୀରପ୍ରତାପ ଯୁବକ ସଂଘର ସଦସ୍ୟସଦସ୍ୟା, ମାଇ ଭାରତର କର୍ମୀ ଏବଂ କେଏମ୍ଆର୍ଏସ୍ ଶିକ୍ଷକ ସୁମନ୍ତ ଦଳେଇ ସହଯୋଗ କରିଥିଲେ। କେଏମ୍ଆର୍ଏସ୍ ଶିକ୍ଷକ ନରେଶ କହଁର ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାପତି ଅନନ୍ତ ଦେହୁରୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ସମାପନ ହୋଇଥିଲା।“ନିଶାକୁ ନା, ଜୀବନକୁ ହଁ” ସ୍ଲୋଗାନକୁ ଆଧାର କରି ଯୁବପିଢ଼ି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଏକ ସୁସ୍ଥ, ସୁରକ୍ଷିତ ଓ ସମୃଦ୍ଧ ସମାଜ ଗଠନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।

