ବ୍ରହ୍ମପୁର /ଚିକିଟି,୨୮।(ନିଗମାନନ୍ଦ ପଣ୍ଡା):ବ୍ରହ୍ମପୁର ନୀଳକଣ୍ଠ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ରକ୍ଷାବନ୍ଧନର ମହତ୍ତ୍ୱ, ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଓ ପରସ୍ପର ପ୍ରତି ସ୍ନେହ, ସମ୍ମାନ ଓ ଦାୟିତ୍ୱବୋଧ ବିଷୟରେ ଉଦ୍ବୋଧନ ଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଆଡଭୋକେଟ୍ ନାରାୟଣ ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଅନିଲ କୁମାର ଦାସ ଓ ଆଚାର୍ଯ୍ୟ ସୁଦୀପ୍ତ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗଦେଇଥିଲେ।ଏହି ଅବସରରେ ଛାତ୍ରୀମାନେ ଛାତ୍ରମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନକୁ ଅଧିକ ସୁଦୃଢ଼ କରିଥିଲେ। ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ସତ୍ଚରିତ୍ର, ପରସ୍ପର ସହଯୋଗ ଓ ଭାଇଚାରାର ଭାବନା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସବମୁଖର ପରିବେଶରେ ସଫଳତାର ସହ ସମାପିତ ହୋଇଥିଲା।

