ନୂଆପଡ଼ା,୨୬/୩:(ପରମେଶ୍ୱର ମେହେର )ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ନୀଳଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଥିବା ଶ୍ରୀରାମ ନବମୀ ଉତ୍ସବ କେବଳ ଏକ ପର୍ବ ନୁହେଁ, ଏହା ହେଇଯାଇଥିଲା ଭକ୍ତି, ସଂସ୍କାର ଓ ନିର୍ମଳ ଭାବନାର ଏକ ଅବିସ୍ମରଣୀୟ ଅନୁଭବ।ଉତ୍ସବର ଆରମ୍ଭ ସମୟରେ ଛୋଟ ଛୋଟ ଶିଶୁମାନଙ୍କ ହାତରେ ଜଳୁଥିବା ଦୀପ ଓ ତାଙ୍କ ଆଖିରେ ଥିବା ଭକ୍ତିର ଆଲୋକ ପରିବେଶକୁ ଏମିତି ଭାବବିହ୍ୱଳ କରିଦେଇଥିଲା ଯେ, ଅନେକଙ୍କ ଆଖି ଆପେଆପେ ଭିଜିଯାଇଥିଲା।ମା ସରସ୍ବତୀ, ଭାରତ ମାତା ଙ୍କ ପ୍ରତିଛବି ସମ୍ମୁଖରେ ଦୀପ ପ୍ରଜ୍ବଳନ, ଫୁଲ, ଚନ୍ଦନ, ସିନ୍ଦୁର ଓ ନାରିକେଳ ଅର୍ପଣ ସହିତ ପରିବେଶ ପବିତ୍ର ହୋଇଉଠିଲା।ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ମୁଖ୍ୟ ଅତିଥି ମହାନଚରଣ ଦାସ ଓ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ମଂଚାସୀନ ଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରସାନନ୍ଦ କୁମ୍ଭାର କାର୍ୟକ୍ରମକୁ ସୁନିୟୋଜିତ ଭାବେ ପରିଚାଳନା କରିଥିଲେ। ସଭାପତି ଓ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଶ୍ରୀରାମଙ୍କ ଆଦର୍ଶ ଜୀବନ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ।ଏହି କାର୍ୟକ୍ରମକୁ ସଫଳ କରିବାରେ ବୀରଭଦ୍ର ସା, ସରୋଜ ସୁନାନୀ, ଅକ୍ଲେଶ ପାଣ୍ଡେ, ଖୀରାବ୍ଧି ସୁନାନୀ, ସୁନେଶ୍ୱର ପୁଞ୍ଜୀ, ବେନୁଧର ନିଆଲ, ଡୁମେରମତୀ ଗହୀର ଓ ମୀନା କୁମାରୀ ନାଗ ମାନେ ସହଯୋଗ କରିଥିଲେ।ଏହି ଅବସରରେ ଛୋଟ ଛୋଟ ଶିଶୁମାନେ ରାମ, ଲକ୍ଷ୍ମଣ ଓ ସୀତା ବେଶଭୂଷାରେ ମଞ୍ଚରେ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ସେମାନଙ୍କ ନିର୍ମଳ ହସ ଓ ଭକ୍ତିଭାବ ଦର୍ଶକଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା।ଛାତ୍ରୀମାନଙ୍କ ନୃତ୍ୟ ପରିବେଷଣ ସଭାକୁ ଆହୁରି ଭାବବିହ୍ୱଳ କରିଥିଲା, ଯେଉଁଥିରେ ଭକ୍ତି ଓ ସଂସ୍କୃତିର ସୁନ୍ଦର ପ୍ରତିଛବି ଦେଖିବାକୁ ମିଳିଥିଲା।ଶେଷରେ ସମ୍ପାଦକ ଲକ୍ଷ୍ମଣ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।

