ବୋଲଗଡ଼,୨୫/୩(ସୁଶାନ୍ତ କୁମାର ପ୍ରଧାନ) ଚୈତ୍ରମାସର ପ୍ରତେକ ମଙ୍ଗଳ ବାର ଗୁଡିକରେ ଆମ ରାଜ୍ୟରେ ପ୍ରାୟତଃ ପ୍ରତେକ ଗ୍ରାମାଞ୍ଚଳ ଗୁଡିକରେ ବାଟ ମଙ୍ଗଳା ପୂଜା ବା ପନ୍ଥେଇ ପୂଜା କରାଯାଇଥାଏ। ଏହି ପନ୍ଥେଇ ପୂଜା ଆମ ରାଜ୍ୟର ଏକ ପାରମ୍ପାରିକ ଓ ଲୋକ ପ୍ରିୟ ପୂଜା,ଏହାକୁ ମଧ୍ୟ ଚଇତି ମଙ୍ଗଳବାର ବୋଲି କୁହାଯାଏ। ଯେଉଁଥିରେ ମହିଳା ମାନେ ଦାଣ୍ଡରେ ହେଉ ଅବା ଗାଁ ମୁଣ୍ଡରେ ଛୋଟ ଗାତ ଖୋଳି ଚନ୍ଦନ, ସିନ୍ଦୂର ଓ ବିଭିନ୍ନ ପୁଷ୍ପ ଦ୍ୱାରା ମା ମଙ୍ଗଳା ଙ୍କୁ ଆରଧନା କରି କଳସ ସ୍ଥାପନ କରିଥାନ୍ତି,ଏବଂ ଝୁଣା ଧୂପ, ଦୀପ ଜଳେଇ ପନ୍ଥେଇରେ ମା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଗୁଡପଣା ଦେଇଥାନ୍ତି। ଏହି ପୂଜା ପରିବାରର ସୁଖ ସମୃଦ୍ଧି ଓ ସୁରକ୍ଷା ପାଇଁ କରାଯାଇଥାଏ। ଏହି ତୃତୀୟ ମଙ୍ଗଳ ବାର ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଚୈତ୍ର ମାସ ମଙ୍ଗଳବାର ମାନଙ୍କରେ ମା ମଙ୍ଗଳା ଙ୍କ ପୂଜାର୍ଚ୍ଚନା ନୀତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି।ଏହି ପୂଜା ରେ ସଧବା ନାରୀମାନେ ନିଜ ସ୍ଵାମୀ ଓ ପରିବାରର ମଙ୍ଗଳ ପାଇଁ ମା ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ରତ ପାଳନ କରି ପନ୍ଥେଇ ପୂଜା ମାଧ୍ୟମରେ ମା’ ଙ୍କ କୃପା ଲାଭ କରିଥାନ୍ତି। ଚୈତ୍ର ମାସ ତୃତୀୟ ମଙ୍ଗଳବାର ରେ ନିଜ ନିଜ ଗ୍ରାମର ନିକଟସ୍ଥ ମଙ୍ଗଳା ମନ୍ଦିର ସମ୍ମୁଖ ଗାଁଦାଣ୍ଡରେ ଗୋବରରେ ଲିପାପୋଛା ପରେ ପନ୍ଥେଇ ପୂଜା ବିଧି ଅନୁଯାୟୀ ଦୁଇଟି ଛୋଟ ଗାତ ଖୋଳି ଗୋଟିକରେ ପଣା ଓ ଅନ୍ୟଟିରେ ପାଣି ବଢ଼ାଯାଇ ମା’ଙ୍କୁ ଝୁଣା,ଧୂପ,ଦୀପ ରେ ବନ୍ଦାପନା କରିଥିଲେ ମହିଳାମାନେ।ଏହି ଅବସରରେ ପନ୍ଥେଇ ଚତୁଃପାଶ୍ୱରେ ଆମ୍ବଡାଳ,ଗୁଆ ରଖି ସିନ୍ଦୁର ଓ ମୁରୁଜ ପକାଇ ଲାଲମନ୍ଦାରରେ ସୁସଜ୍ଜିତ କରାଯାଇ ଥିଲା।ବ୍ରତ ରଖିଥିବା ମହିଳାମାନେ ପନ୍ଥେଇ ନିକଟ ରେ ବିଭିନ୍ନ ପ୍ରକାର ଫଳ,କ୍ଷୀର,ଦହି ଛେନା,ନଡ଼ିଆ, କଦଳୀ ଭଳି ସାମଗ୍ରୀ ମିଶାଇ ପଣା ଭୋଗ ଲାଗି କରିଥିଲେ।ଏହି ଅବସରରେ ଓଷାବ୍ରତ କଥା ବହି ପଢ଼ାଯାଇ ହୁଳ ହୁଳି ଓ ଘଣ୍ଟ ଘଣ୍ଟି ବଜାଇ ମା’ଙ୍କ ପୂଜା ହୋଇଥିଲା।ମଧ୍ୟାହ୍ନରେ ପୂଜାଶେଷ ହେବା ପରେ ବ୍ରତ ଧରି ମହିଳାମାନେ ପନ୍ଥେଇରେ ଲାଗି ହୋଇଥିବା ପଣାକୁ ପସାଦରୂପେ ସେବନ କରିଥିଲେ।

