ବୋଲଗଡ଼,୧୨/୮(ସୁଶାନ୍ତ କୁମାର ପ୍ରଧାନ):ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଆଜି ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ପବିତ୍ର ଚିତାଲାଗି ଅମାବାସ୍ୟା ଉତ୍ସାହର ସହ ପାଳିତ ହେଉଛି। ଗ୍ରାମାଞ୍ଚଳରେ ଏହାକୁ ଗେଣ୍ଡେଇ ପର୍ବ ନାମରେ ମଧ୍ୟ ଜଣାଯାଏ।ପରମ୍ପରା ଅନୁସାରେ ଚିତାଲାଗି ଦିନ କ୍ଷେତରେ ଚିତ୍ତଉ ପୋତିଲେ ଗେଣ୍ଡା, କୋଚିଆ ଭଳି କୀଟପତଙ୍ଗ ମାନେ କୃଷକଙ୍କୁ ଆଘାତ କରିନଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଜି ସକାଳୁ ବୋଲଗଡ଼ ବ୍ଲକର ଚାଷୀମାନେ କ୍ଷେତ କୁ କ୍ଷେତ ବୁଲି ଚିତ୍ତଉ ପୋତି ନୂଆ ଫସଲର ମଙ୍ଗଳ କାମନା କରିଛନ୍ତି। ପୌରାଣିକ କଥା ଅନୁସାରେ ଏଇ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ଚିତା ପିଠା ଭୋଗ ଲଗାଇ ମନାଇଥିଲେ। ସେବେଠୁ ଶ୍ରୀମନ୍ଦିରରେ ଚିତା ବସ୍ତ୍ର ଓ ଚିତା ପିଠା ଭୋଗ ପରମ୍ପରା ଚାଲି ଆସୁଛି। ସ୍ଥାନୀୟ ଚାଷୀ ମାନେ କହିଛନ୍ତି, “ଏଇ ଦିନ ଆମେ ହଳ-ଲଙ୍ଗଳ ଛୁଇଁନୁ। ମାଟି ମା’ଙ୍କୁ ବିଶ୍ରାମ ଦେଉଛୁ। ଘରେ ଘରେ ଚିତା ପିଠା, ଗେଣ୍ଡେଇ ପିଠା ତିଆରି ହୋଇ ଦେବଦେବୀଙ୍କୁ ନୈବେଦ୍ୟ ଲାଗୁଛି।”କୃଷି ବିଜ୍ଞାନୀ ମାନେ ମଧ୍ୟ କୁହନ୍ତି, ଏଇ ପରମ୍ପରା ପ୍ରକୃତି ସହ ଚାଷର ସମ୍ପର୍କୁ ଦର୍ଶାଏ। ଏଇ ଦିନ ରାସାୟନିକ କୀଟନାଶକ ବ୍ୟବହାର ନ କରି ପ୍ରାକୃତିକ ଉପାୟରେ ଫସଲ ରକ୍ଷା କରିବାର ସଚେତନତା ଥିଲା।ଚିତାଲାଗି ଅମାବାସ୍ୟା କେବଳ ଏକ ପର୍ବ ନୁହେଁ, ଏହା ଆମ କୃଷି ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ।

