ବେଗୁନିଆପଡ଼ା,୯।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କୁ ବୁଗୁଡ଼ା ବ୍ଲକ୍କୁ ବଦଳି ହୋଇଥିବା ନେଇ ଗତ ୫ ଅଗଷ୍ଟ ୨୦୨୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ହୋଇଥିବା ଜଣାପଡ଼ିଛି। ତେବେ ବଦଳି ନିର୍ଦ୍ଦେଶକୁ ମାସେ ପୁରିଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ଏଯାଏଁ ବେଗୁନିଆପଡ଼ା ବ୍ଲକ୍ କାର୍ଯ୍ୟାଳୟ ଛାଡ଼ିନଥିବା ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ ବଦଳି ନିର୍ଦ୍ଦେଶ ଥିବା ସତ୍ତ୍ୱେ କାହିଁକି ଏଯାଏଁ ସେ ବୁଗୁଡ଼ା ବ୍ଲକ୍ରେ ଯୋଗଦେଇନାହାନ୍ତି ? ଗାଦି ଛାଡ଼ିବାକୁ ରାଜି ନୁହଁନ୍ତି ନା କିଏ ତାଙ୍କୁ ଯିବାକୁ ଦେଉନାହାନ୍ତି ? ଅନ୍ୟପଟେ, ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ମଧ୍ୟ ଉଠିଛି ପ୍ରଶ୍ନ। କାହା ଚାପରେ ଚେପା ବିଡିଓ ସୁନୀଲ ସାମନ୍ତ ? ବଦଳି ନିର୍ଦ୍ଦେଶକୁ ବେଖାତିର କରୁଛି କିଏ ? ବୁଗୁଡ଼ା ବ୍ଲକ୍କୁ ବଦଳି ନିର୍ଦ୍ଦେଶ ଥିବା ପରେ ବି କାହିଁକି ହୋଇନାହିଁ ରିଲିଭ୍ ? ଏହା ପଛରେ ରହିଛି କି କୌଣସି ଅଦୃଶ୍ୟ ଚାପ ? ନା ବଦଳି ନିର୍ଦ୍ଦେଶ ଥିଲେ ମଧ୍ୟ ସହକାରୀ ଯନ୍ତ୍ରୀଙ୍କୁ ଗାଦି ଛାଡ଼ିବାକୁ ଦିଆଯାଉନାହିଁ ? ତାଙ୍କୁ ନିର୍ଦ୍ଦିଷ୍ଟ ପଦବୀରେ ରଖିବା ପଛରେ କୌଣସି ବିଶେଷ କାରଣ ଅଛି କି, ନା କିଏ ତାଙ୍କୁ ଯିବାକୁ ଦେଉନାହାନ୍ତି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜିଲ୍ଲାପାଳଙ୍କ ଚିଠିର କାର୍ଯ୍ୟକାରିତା କେବେ ହେବ, ତାହା ଉପରେ ନଜର।

