ବୋଲଗଡ଼,୨୫।୮(ସୁଶାନ୍ତ ପ୍ରଧାନ):ବର୍ଷା ଋତୁ ଆସିଲେ ଓଡ଼ିଶାର ବାଡ଼ି ବଗିଚା ଓ ଜଙ୍ଗଲ ଧାରରେ ଆପେ ଆପେ ଉଙ୍କି ମାରେ ଏକ ସବୁଜ ସୁନା। ତା’ ନାଁ କାଙ୍କଡ଼, କେତେକ ସ୍ଥାନରେ ଏହାକୁ କାକରୋଲ ବୋଲି କୁହାଯାଏ। ଏବେ ବୋଲଗଡ଼ ଅଞ୍ଚଳରେ ଏହି ଲତା ପରିବା ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଛି। ଏହି ପରିବାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏହାକୁ ଚାଷ କରିବାକୁ ପଡେନା। ବର୍ଷା ପାଣି ପାଇଲେ ଏହା ନିଜେ ନିଜେ ବାଡ଼ ଉପରେ ମାଡିଯାଏ। କୌଣସି ରାସାୟନିକ ସାର ବା କୀଟନାଶକ ବିନା ସମ୍ପୂର୍ଣ୍ଣ ଜୈବିକ ଭାବେ ବଢ଼ିଥାଏ, ତେଣୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର।ଆୟୁର୍ବେଦ ଅନୁସାରେ କାଙ୍କଡ଼ କେବଳ ପରିବା ନୁହେଁ, ଏହା ଏକ ଔଷଧ। ଏଥିରେ ପ୍ରଚୁର ଭିଟାମିନ୍, ଆଇରନ୍ ଓ ଫାଇବର ରହିଛି। ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ। ପେଟ ସଫା ରଖିବା ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟ କରେ। ବର୍ତ୍ତମାନ ବୋଲଗଡ଼ ହାଟରେ କାଙ୍କଡ଼ କିଲୋ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ବିନା ଖର୍ଚ୍ଚରେ ଫଳୁଥିବାରୁ ଗ୍ରାମାଞ୍ଚଳର ମହିଳା ଓ ଚାଷୀ ଏହାକୁ ତୋଳି ବିକି ଭଲ ରୋଜଗାର କରୁଛନ୍ତି। ବିଦେଶୀ ହାଇବ୍ରିଡ୍ ପରିବା ଭିଡ଼ରେ ଆମ ମାଟିର ଏହି ସ୍ୱଦେଶୀ ସ୍ୱାଦକୁ ଭୁଲିଯିବା ଉଚିତ୍ ନୁହେଁ।

