ବେଗୁନିଆପଡ଼ା,୧୪।୯(ବାପୁନି ମାଲୁ):ବର୍ଷେ ତଳେ ଭୁଶୁଡ଼ିଲା ପାଚେରୀ, ହେଲେ ଏଯାଏଁ ସରୁନି ମରାମତି କାମ। ସରକାରୀ ଅର୍ଥରେ ନିର୍ମିତ ମା’ ପଣସେଇ ଠାକୁରାଣୀଙ୍କ ପାଚେରୀକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ବେଗୁନିଆପଡ଼ା ବ୍ଲକ ବୁରୁଝୁରି ପଞ୍ଚାୟତ ପି.ନୂଆଗାଁରେ ଥିବା ମା’ ପଣସେଇ ଠାକୁରାଣୀଙ୍କ ମନ୍ଦିର ପାଚେରୀ ଭୁଶୁଡ଼ିବାର ବର୍ଷେ ପରେ ମଧ୍ୟ ମରାମତି କାମ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଫଳକ ଅନୁସାରେ, ଏହି କାମ ପାଇଁ ୩ ଲକ୍ଷ ୬୭ ହଜାର ୧୬୩ ଟଙ୍କା ବ୍ୟୟ ହୋଇଛି। ପ୍ରବଳ ବର୍ଷାରେ ପାଚେରୀ ଭୁଶୁଡ଼ିଥିବା କୁହାଯାଉଥିବା ବେଳେ, ଏତେ କମ୍ ସମୟରେ ନିର୍ମାଣ କାହିଁକି ଭୁଶୁଡ଼ିଲା ଏବଂ ଭୁଶୁଡ଼ିବା ପରେ ବର୍ଷେ ପର୍ଯ୍ୟନ୍ତ ମରାମତି କାମ କାହିଁକି ସରୁନି, ତାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅଧିକାରୀମାନେ କାମର ତଦାରଖ କରିଥିଲେ କି? ମରାମତି କାମ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ରହିବାର କାରଣ କ’ଣ? ଏହାର ଉତ୍ତର ଦେବ କିଏ? ସରକାରୀ ଅର୍ଥରେ ହେଉଥିବା କାମ ଯଦି ଏଭଳି ଅଧାପନ୍ତରିଆ ହୋଇ ପଡ଼ି ରହେ, ତେବେ ଏହାର ଦାୟିତ୍ୱ କାହାର ? ତାହାର ତଦନ୍ତ ହେବା ଆବଶ୍ୟକ ଏହି ଘଟଣା ଏବେ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ନିର୍ମାଣ କାମର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ଯ ଯୋଗାଯୋଗ ସମ୍ଭବପର ହୋଇପାରି ନାହିଁ ।

