ଖଜୁରୀପଡ଼ା:୨୫/୬( ମନୋଜ କୁମାର ବେହେରା): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନ୍ତର୍ଗତ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦର ମହକୁମାସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଡିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମରେ ଖଜୁରୀପଡ଼ା ୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଜାନୀ, ସାଂସଦ ପ୍ରତିନିଧି ଶ୍ରୀ ସିଦ୍ଧାର୍ଥ ସାହୁ, ସମାଜସେବୀ ଓ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ପିରିକୁଡ଼ି ସରପଞ୍ଚ ଶ୍ରୀ ଉମାଚରଣ ମଲ୍ଲିକ ଉପସ୍ଥିତ ଥିଲେ। ସେହିପରି ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା, ଗୋଷ୍ଠୀ ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଶ୍ରୀମତୀ ପ୍ରତିଭା ପାଢ଼ୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।ଅତିଥି ଓ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ଓ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ସାମଗ୍ରୀ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ୨୨ ଜଣ, ଅନ୍ନପୂର୍ଣ୍ଣା କାର୍ଡ ୪୦ ଜଣ, ଜମି ପଟ୍ଟା ୧୦ ଜଣ, ଆୟୁଷ୍ମାନ କାର୍ଡ ୩ ଜଣ, ଅନ୍ତ୍ୟୋଦୟ ଗୃହ ୫ ଜଣ ଓ ମୃତ୍ତିକା ସ୍ୱାସ୍ଥ୍ୟ (ସଏଲ୍ ହେଲ୍ଥ) କାର୍ଡ ୧୮ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ୩୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଥିଲା। ମିଶନ ଶକ୍ତି ଅନ୍ତର୍ଗତ ୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୬୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଜଣେ ‘ଲକ୍ଷପତି ଦିଦି’ଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକର ୧୪ଟି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଜନପ୍ରତିନିଧି, ଏମ୍ବିକେ, ମିଶନ ଶକ୍ତି କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ସାମ୍ବାଦିକ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।ଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

