ବୁଗୁଡ଼ା:ଜନବାଣୀ,୧୯/୦୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଠାରେ ରାଜ୍ୟ ସରକାରଙ୍କ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ଏସ୍ଏମ୍ଇ” ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରର ଭୂମିକା, ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନରେ ଏହାର ଅବଦାନ ଉପରେ ଆଲୋଚନା କରାଯାଇଥିଲା।ବକ୍ତାମାନେ କହିଥିଲେ ଯେ, ଏମ୍ଏସ୍ଏମ୍ଇ କ୍ଷେତ୍ର ରାଜ୍ୟରେ କୃଷି ପରେ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠା, ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାର ଏହି କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଋଣ, ସବସିଡି, ପ୍ରଶିକ୍ଷଣ ଓ ବଜାର ସଂଯୋଗ ସୁବିଧା ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଦୁଇ ବର୍ଷର ସଫଳତା, ଶିଳ୍ପ ବିକାଶ, ଉଦ୍ୟୋଗୀ ସଶକ୍ତିକରଣ ଓ ରୋଜଗାର ସୃଷ୍ଟି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥିତ ଯୁବ ପିଢ଼ି ଙ୍କୁ ଅବଗତ କରାଯାଇଥିଲା। ବିକଶିତ ଓଡ଼ିଶା ଗଠନରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଶେଷରେ ବୁଗୁଡ଼ାର କାମାକ୍ଷୀ ଇଣ୍ଡଷ୍ଟ୍ରି, ଓ ଲଷ୍ମୀ କାଜୁ ଇଣ୍ଡଷ୍ଟ୍ରି କୁ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ସହାୟତା ରାଶିର ଚେକ ପ୍ରଦାନ କରାଯାଇଥିଲା l

