ଜଗନ୍ନାଥ ପ୍ରସାଦ,୪/୦୮ (ପୂର୍ଣ୍ଣଚନ୍ଦ୍ର ବାରିଜ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ମିଳିଛି ଏକ ସଫଳତା । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ବାଣ ସହ ଏକ ଡାଲା ଅଟୋ OD25D2062 କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡ଼ି ସଙ୍ଗେ ବାଣ ମାଲିକ ମୁନା ଚୌଧୁରି ଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଜାରି ରଖିଛି । ଅଟକ ଥିବା ବାଣ ବ୍ୟବସାୟୀ ଏସ. ମୃତୁଞ୍ଜୟ ଚୌଧୁରୀ ବୋଲି ଜଣାପଡିଛି ।ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତି ୨.୩୦ ସମୟରେ ପୋଲିସର ଏକ ସ୍ପେଶାଲ ପାଟ୍ରୋଲିଂ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ ଚଳାଇଥିଲା। ଏହି ସମୟରେ କରଡ଼ାବଣି ଛକ ଏକ ଡାଲା ଅଟୋ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇଥିଲା। ଗାଡ଼ିର ପଛପଟ ଡାଲା ଯାଞ୍ଚ କରିବା ପରେ ସେଥିରୁ ୪୧ଟି ଅଖା ପେଟିରେ ଭର୍ତ୍ତି ହୋଇଥିବା ବେଆଇନ ବାଣ ଉଦ୍ଧାର କରାଯାଇଥିଲା। ବାଣ ପରିବହନ ସମ୍ପର୍କିତ କୌଣସି ବୈଧ ଲାଇସେନ୍ସ କିମ୍ବା ଆନୁଷଙ୍ଗିକ ସୁରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଚାଳକ ତଥା ମାଲିକ ଜଣକ ଦେଖାଇପାରି ନଥିଲେ । ଯାହା ଫଳରେ ଏ ଏସ ଆଇ ପ୍ରିୟ ରଞ୍ଜନ ମିଶ୍ର ଓ ଟିମ ତତ୍କାଳ ବାଣ ସହ ଡାଲା ଅଟୋକୁ ଜବତ କରି ଥାନାକୁ ଆଣିଥିଲେ । ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।ପୋଲିସ ଏହି ମାମଲାରେ ବିସ୍ଫୋରକ ଆଇନ ଅନୁଯାୟୀ କେଶ ନମ୍ବର ୨୯୯ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି। ଏହି ବାଣ ସବୁ କେଉଁଠାରୁ ଅଣାଯାଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେ ନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକ ଜେରା କରୁଥିବା ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି I

