ବୁଗୁଡ଼ା,୪/୪:(ଜନବାଣୀ ବ୍ୟୁରୋ):ଜାତୀୟ ଶିକ୍ଷାନୀତି-୨୦୨୦ ଅଧୀନରେ ଶିଶୁବାଟିକାରେ ନାମଲେଖା ଆରମ୍ଭ ହୋଇଛି। ଶିକ୍ଷକ ଓ ବିଭାଗୀୟ ଅଧିକାରୀମାନେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରିବା ସହ ନାମଲେଖା ପାଇଁ ଉତ୍ସାହିତ କରୁଛନ୍ତି। ହେଲେ ବୁଗୁଡ଼ା ଏନ୍ଏସିରେ ଶିଶୁ ବିକାଶ ଯୋଜନା ଯେମିତି ବାଟବଣା ହୋଇଯାଇଥିବା ମନେ ହେଉଛି। ଶିଶୁଙ୍କୁ ପ୍ରାକ୍ ଶିକ୍ଷାଦାନ ପାଇଁ ଏନ୍ଏସିରେ ମୋଟ୍ ୧୮ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ୧୧ଟି କେନ୍ଦ୍ର ଅସ୍ଥାୟୀ ଘରେ ଚାଲିଛି। ୮ଟି କେନ୍ଦ୍ରର ନିଜସ୍ବ ଗୃହ ନଥିବା ବେଳେ ୩ଟି କେନ୍ଦ୍ରର ନୂଆ କୋଠା ଛିଡ଼ା ହୋଇଥିଲେ ହେଁ, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନଥିବାରୁ ତାହା ବି କାମରେ ଲାଗୁନି। ୧୧ଟି କେନ୍ଦ୍ର ଭଡ଼ାଘର, ଗ୍ରାମ କୋଠଘର ଓ ସ୍କୁଲ କୋଠାରେ ଚାଲିଛି। ଶିଶୁଙ୍କ ପ୍ରାକ୍ ଶିକ୍ଷା ସହ ଖାଦ୍ୟ ସାମଗ୍ରୀ ରଖିବା, ଖାଦ୍ୟ ପ୍ରସ୍ତୁତି ଓ ଶିଶୁଙ୍କ ଖେଳକୁଦରେ ସମସ୍ୟା ଦେଖାଦେଇଛି। ସମ୍ପ୍ରତି ଏନ୍ଏସିର କାଞ୍ଜିଆପଲ୍ଲୀ, ମୋତିସାହି, ବ୍ଲକ କଲୋନି, ତଳ ଓଡ଼ିଆ ସାହି, କାଦପଡ଼ା, ତେଲିସାହି ଓ ଗୋଲାସାହି-୧ ଆଦି ୭ଟି କେନ୍ଦ୍ରର ନିଜସ୍ବ କୋଠା ରହିଛି।
ଗୋଲାସାହି ଦ୍ବିତୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଭଲ ରାସ୍ତା ନାହିଁ। ରଘୁନାଥ ସାହି କେନ୍ଦ୍ରର ନିଜସ୍ବ କୋଠା ଉଦ୍ଘାଟିତ ହୋଇଛି। ହେଲେ ରାସ୍ତା ନଥିବାରୁ ସେଠାକୁ ଶିଶୁମାନେ ଯାଇପାରୁନାହାନ୍ତି। ଫଳରେ ୨ଟି ଯାକ କେନ୍ଦ୍ର ରଘୁନାଥସାହି କୋଠାରେ ଚାଲିଛି। ବୀରଧନଞ୍ଜୟପୁର ଅଙ୍ଗନବାଡ଼ି କେନ୍ଦ୍ର କୋଠା କାମ ସରିଛି। ହେଲେ ପାନୀୟଜଳ ଓ ବିଦ୍ୟୁତ୍ ସୁବିଧା ନାହିଁ। ଫଳରେ ହେଲପରଙ୍କ ଘରେ କେନ୍ଦ୍ର ଚାଲିଛି। ପୁରୁଣାବାଲିପିଣ୍ଡି ସାହି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନିର୍ମାଣକୁ ୨ ବର୍ଷ ବିତିଛି। ଉଦ୍ଘାଟନ ବି ସରିଛି। ହେଲେ ରୋଷେଇଘର, ଷ୍ଟୋର ରୁମ, ଶୌଚାଳୟ ଓ ବିଦ୍ୟୁତ୍ ସଂଯୋଗ ନାହିଁ। ଫଳରେ ଏହି କେନ୍ଦ୍ର ଶିଶୁ ବ୍ଲକ କଲୋନି ଭିତରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଛନ୍ତି। ବିଦ୍ୟାଳୟର ଉପର ମହଲାରେ ଏହି କେନ୍ଦ୍ର ଚାଲିଥିବାରୁ ଶିଶୁମାନେ ପାହାଚ ଚଢ଼ି ଯାଉଛନ୍ତି। ଫଳରେ ଅଘଟଣ ଆଶଙ୍କାରେ କିଛି ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଛାଡୁନାହାନ୍ତି।
ଅନ୍ୟପକ୍ଷରେ କୃଷ୍ଣଶରଣପୁର ଓ ନେଳିଆବନ୍ଧ ସାହି ଅଙ୍ଗନବାଡ଼ି କେନ୍ଦ୍ରର କୋଠା କାମ ବର୍ଷେ ହେଲା ଅଧପନ୍ତରିଆ ହୋଇ ପଡିରହିଛି। ଶକ୍ତିନଗର ଓ ଖଦାଳସାହି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ପାଇଁ ସମ୍ପୃକ୍ତ ୱାର୍ଡରେ ସରକାରୀ ଜମି ନାହିଁ। ଫଳରେ ପଙ୍କୁ ଘୁଞ୍ଚିବା ନ୍ୟାୟରେ କେନ୍ଦ୍ର କୋଠା ନିର୍ମାଣ ହୋଇପାରୁନି। ଗୋଲାମୁଣ୍ଡଳା, ନୂଆସାହି ଓ କୁମ୍ଭାରସାହି ଆଦି ୩ଟି କେନ୍ଦ୍ରର କୋଠା ପାଇଁ ଜାଗା ଚିହ୍ନଟ ହୋଇଛି। ହେଲେ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ତେବେ ବୁଗୁଡ଼ା ଏନଏସି ଅଧୀନ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଏଭଳି ବିକଳ ଚିତ୍ରକୁ ନେଇ ସାଧାରଣରେ ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରାଯାଉଥିବା ବେଳେ ଏଥି ପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

