ଖଜୁରୀପଡ଼ା,୨୯/୬(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡ଼ା ପଞ୍ଚାୟତର ବଡ଼ଭୁଇଁ ଦଳପଡ଼ା ସାହିରେ ରବିବାର ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗାଡ଼ି ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦଳପଡ଼ା ସାହିରେ ନୂତନ ନଳକୂପ ଖନନ କାର୍ଯ୍ୟ ପାଇଁ ଏକ ନଳକୂପ ଗାଡ଼ି ଆସିଥିଲା। ନଳକୂପ ଖନନ ସ୍ଥଳକୁ ପହଞ୍ଚିବା ପାଇଁ ଗାଡ଼ିଟି ପଛକୁ ବ୍ୟାକ କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ି ଚାଳକ ଆହତ ହୋଇଥିଲେ। ଘଟଣା ଖବର ପାଇ ଗ୍ରାମବାସୀଙ୍କ ସହ ସମାଜସେବୀ ଦେବାଶିଷ ସାହାଣୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ଆହତ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

