ବେଲଗୁଣ୍ଠା,୦୧।୧୧(ଶିବରାମ ଚୌଧୁରୀ):ଗତ ୨୦୧୩ ମସିହାର ଫାଇଲିନ ବାତ୍ୟା ଏବଂ ନିକଟରେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଇଙ୍ଗିନାଠି ପଞ୍ଚାୟତବାସୀଙ୍କ ମନରୁ ଲିଭିନାହିଁ। ଏଭଳି ସ୍ଥିତିରେ ପୁଣି ମୁରସୁ ବାତ୍ୟାର ଆଶଙ୍କା ଏବଂ ଆସନ୍ତା ଦୁଇରୁ ଚାରି ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପ୍ରଶାସନର ସତର୍କ ସୂଚନା ପଞ୍ଚାୟତବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।ଅର୍ଣ୍ଣବ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟାଜଳ କମିବା ପରେ ଲୋକେ ନିଜ ଘରକୁ ସଜାଡ଼ିବାରେ ଲାଗିଛନ୍ତି। ବନ୍ୟାଜଳରେ ଓଦା ହୋଇଥିବା ଲୁଗାପଟା, ଆସବାବପତ୍ର ଓ ଖାଦ୍ୟଶସ୍ୟକୁ ଘର ବାହାରେ ଶୁଖାଇବା ସହ ଅନେକେ ପମ୍ପ ଲଗାଇ ଘର ଭିତରେ ଜମି ରହିଥିବା ପାଣି ବାହାର କରୁଛନ୍ତି। ବନ୍ୟାର ଏହି ଦୁର୍ଦ୍ଦଶା ଏବେ ବି ଗ୍ରାମବାସୀଙ୍କୁ ଅସ୍ତବ୍ୟସ୍ତ କରି ରଖିଛି।ଅନ୍ୟପକ୍ଷରେ ନଦୀନାଳରେ ଘାଇ ସୃଷ୍ଟି ହେବା ସହ ବିଭିନ୍ନ ରାସ୍ତାଘାଟ ଧୋଇ ହୋଇଯାଇଛି। ଇଙ୍ଗିନାଠି-ଷଡ଼ଙ୍ଗୀପଲ୍ଲୀ ରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ। ଏଭଳି ସ୍ଥିତିରେ ପୁଣି ବର୍ଷା ହେଲେ ଅଞ୍ଚଳରେ ଯୋଗାଯୋଗ ଓ ଜନଜୀବନ ଅଧିକ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।ବନ୍ୟାଜଳ ପଶି ଇଙ୍ଗିନାଠି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବହୁ ସାମଗ୍ରୀ ଓଦା ହୋଇଥିବାରୁ ଆଜି କର୍ମଚାରୀମାନେ ସେଗୁଡ଼ିକୁ ବାହାର କରି ଶୁଖାଇବା ସହ ପରିସର ସଫା କରୁଥିବା ଦେଖାଯାଇଥିଲା। ସେହିପରି କାଳିଆମ୍ବା ନାଳର ବନ୍ୟାଜଳ ପଶି ନୂଆପଡ଼ାସ୍ଥିତ କୁଞ୍ଜବିହାରୀ ନାୟକଙ୍କ ଦୁର୍ଗା ରାଇସ୍ ମିଲ୍ରେ ୩୦୦୦ ରୁ ଉର୍ଦ୍ଧ୍ବ ବସ୍ତା ଧାନ ଓ ଚାଉଳ ନଷ୍ଟ ହୋଇଥିବା ବେଳେ ମିଲ୍ର ଯନ୍ତ୍ରପାତି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରି ଆଗାମୀ ଦିନରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ଏଭଳି ସ୍ଥିତିରେ ପୁଣି ଏକ ବାତ୍ୟା ଓ ପ୍ରବଳ ବର୍ଷାକୁ କିପରି ସାମ୍ନା କରିବେ, ସେନେଇ ଚିନ୍ତିତ ଅଛନ୍ତି ଅଞ୍ଚଳବାସୀ। ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମନ୍ଦାର ଗସ୍ତ କରି ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

