ବେଗୁନିଆପଡ଼ା,୧୪।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝରି ପଞ୍ଚାୟତର ପି. ନୂଆଗାଁ ସ୍କୁଲ ସାହିରେ ମାସେ ହେଲା ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ପଡ଼ିଛି । ସନ୍ଧ୍ୟା ହେଲେ ସାହି ଅନ୍ଧାରରେ ବୁଡ଼ିଯାଉଥିବା ବେଳେ ଟିଉସନ୍ ରୁ ଫେରୁଥିବା ପିଲା ଓ ରାତିରେ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ବର୍ଷା ଦିନରେ ଅନ୍ଧାର ରାସ୍ତାରେ ସାପ ଓ ଅନ୍ୟ ସରୀସୃପର ଭୟ ରହୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏଭଳି ଏକ ସମସ୍ୟା ମାସେ ଧରି ରହିବା ପରେ ମଧ୍ୟ ଏହାର ସ୍ଥାୟୀ ସମାଧାନ ନହେବା ପଞ୍ଚାୟତର ତଦାରଖ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏନେଇ ସରପଞ୍ଚଙ୍କୁ ପଚରାଯିବାରୁ ସେ କହିଛନ୍ତି, ପୂର୍ବରୁ ଏକ ସଂସ୍ଥା ଏହି ଷ୍ଟ୍ରିଟ୍ ଲାଇଟ୍ କାମ ନେଇଥିଲା। ସେହି ସଂସ୍ଥା କିଏ ଥିଲା ଓ କିପରି କାମ ନେଇଥିଲା, ସେ ବିଷୟରେ ସେ ଜାଣନ୍ତି ନାହିଁ। ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ଅଧୀନରେ ଲୋକଙ୍କ ସୁବିଧା ପାଇଁ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ର ଦାୟିତ୍ୱ କାହାର? ମାସେ ଧରି ଲାଇଟ୍ ଅଚଳ ଥିବା ନେଇ ପଞ୍ଚାୟତ ପକ୍ଷରୁ କାହିଁକି ତୁରନ୍ତ ପଦକ୍ଷେପ ନିଆଯାଇନଥିଲା? ଅନ୍ୟପଟେ ମାସେ ଧରି ଅନ୍ଧାରରେ ରହିବା ପରେ ଏବେ ଦୁଇ ଦିନ ଭିତରେ ଲାଇଟ୍ ମରାମତି କରିବେ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ଯଦି ସତରେ କାର୍ଯ୍ୟକାରୀ ହୁଏ, ତେବେ ଲୋକଙ୍କ ସମସ୍ୟାର ସମାଧାନ ହେବ। କିନ୍ତୁ ମାସେ ଧରି ଅଚଳ ଥିବା ଲାଇଟ୍ ପାଇଁ ଦୁଇ ଦିନର ପ୍ରତିଶ୍ରୁତି କାହିଁକି ଆଗରୁ ଦିଆଗଲା ନାହିଁ? ଏମିତି କିଛି ପ୍ରଶ୍ନ ଏବେ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି । ଏବେ ଦେଖିବାକୁ ବାକି ରହିଲା, ସରପଞ୍ଚଙ୍କ ୨ ଦିନର ପ୍ରତିଶ୍ରୁତି କେବଳ ଆଶ୍ୱାସନରେ ସୀମିତ ରହୁଛି ନା ସତରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି।

