ଚିକିଟି,୨୭।୮(ନିଗମାନନ୍ଦ ପଣ୍ଡା):ଚିକିଟି ରାଜନୀତିରେ ଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଡ଼ଅଞ୍ଚୁପାର ଅଞ୍ଚଳର ପ୍ରମୁଖ ଆଦିବାସୀ ଯୁବ ନେତା ତଥା ୨୦୧୭ ସରପଞ୍ଚ ପ୍ରାର୍ଥୀ ବାବୁଲା ସବରଙ୍କ ସମେତ ବିଜେପିର କିଛି ସକ୍ରିୟ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ଏହି ଘଟଣା ଚିକିଟି ବିଜେପି ସଂଗଠନ ପାଇଁ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।ବାବୁଲା ସବର ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ ଦୀର୍ଘଦିନ ଧରି ସଂଗଠନ ସହ ଜଡ଼ିତ ଥିଲେ। ବିଶେଷକରି ୨୦୨୨ ପଞ୍ଚାୟତ ନିର୍ବାଚନରେ ବୁରାତାଲ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସଂଗଠନକୁ ମଜବୁତ କରିବାରେ ସେ ସକ୍ରିୟ ଭୂମିକା ନେଇଥିବା ଜଣାପଡ଼ିଛି। ତେବେ ଦଳର ବର୍ତ୍ତମାନର କାର୍ଯ୍ୟଶୈଳୀ ଓ କର୍ମୀମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳୁନଥିବା ଅଭିଯୋଗ କରି ସେ ବିଜେପି ଛାଡ଼ିଥିବା କହିଛନ୍ତି।ତାଙ୍କ ସହ ପାତବଡ଼ମୁଣ୍ଡିର ଶରତ ବଡ଼ମୁଣ୍ଡି ଓ ଗୁରୁଡ଼ାର ଜିତୁଙ୍କ ସମେତ ଅନ୍ୟ କିଛି ସକ୍ରିୟ କର୍ମୀ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି।ବିଜେପି ଛାଡ଼ିଥିବା କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ଦଳ କ୍ଷମତାକୁ ଆସିବା ପରେ ନିଷ୍ଠାର ସହ କାମ କରିଥିବା ତଳସ୍ତରର କର୍ମୀମାନଙ୍କୁ ଆଶାନୁରୂପ ଗୁରୁତ୍ୱ ମିଳୁନାହିଁ। ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି ମଧ୍ୟ ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ସେମାନେ କହିଛନ୍ତି। ଏହି କାରଣରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଦାବି କରାଯାଇଛି।ପରେ ବିଜେଡିର ନେତୃତ୍ୱ ଓ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦେଇଥିବା କହିଛନ୍ତି। ବାବୁଲା ସବରଙ୍କ ସମେତ ଏହି ନୂତନ ଯୋଗଦାନ ଚିକିଟିରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ଏହି ଦଳବଦଳ ପରେ ଚିକିଟିରେ ବିଜେପି ଓ ବିଜେଡିର ତୃଣମୂଳ ସଂଗଠନକୁ ନେଇ ନୂଆ ସମୀକରଣର ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ଦିନରେ ଆହୁରି କିଛି କର୍ମୀ ଦଳ ପରିବର୍ତ୍ତନ କରିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଚିକିଟିର ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକାର ବାସ୍ତବ ସମସ୍ୟାର ସମାଧାନରେ ପ୍ରତିଫଳିତ ହେବ ବୋଲି କର୍ମୀ ମାନେ ଆଶା ପ୍ରକାଶ କରିଛନ୍ତି।

