ଭଞ୍ଜନଗର,୨୩।୯(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ବିଭିନ୍ନ ସେବାମୂଳକ, ସଚେତନତାଧର୍ମୀ ଓ ସୃଜନଶୀଳ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ପି. କୁନିଆମା ଦୋରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସେବା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନ କରାଯାଇଥିଲା। ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ଚିନ୍ତନଶକ୍ତିର ବିକାଶ ନିମନ୍ତେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ୨୫ ବର୍ଷର ସେବା ସଙ୍କଳ୍ପ ଏବଂ ବିକଶିତ ଭାରତ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ଦୋରା ଛାତ୍ରଛାତ୍ରୀମାନଙ୍କୁ ସେବା ମନୋଭାବ, ଶୃଙ୍ଖଳା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱର ମହତ୍ତ୍ୱ ବୁଝାଇଥିଲେ। ଉପସ୍ଥିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ‘ସେବା ସଂକଳ୍ପ ଅଭିଯାନ’ର କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ସମ୍ପନ୍ନ ହୋଇଥିଲା।

