ରାୟଗଡ଼ା,୧୭/୦୬(ଅମୂଲ୍ୟ ନିଶଙ୍କ):ଜାତୀୟ ରାଜପଥ କଡ଼ରେ ପଡ଼ି ରହିଥିବା ଏକ ବଡ଼ ଏୟାର ବ୍ୟାଗ୍ ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟାଗରୁ ଅସହ୍ୟ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ବର୍ବରୋଚିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗିଛି, ତାହାକୁ ନେଇ ପୋଲିସ ଖୋଳତାଳ ଚଳାଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଖଳିଗୁଡା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦେଖିବାକୁ ମିଳିଛି ଏଭଳି ଏକ ସନ୍ଦେହଜନକ ତଥା ହୃଦୟବିଦାରକ ଦୃଶ୍ୟ । ରାସ୍ତା କଡ଼ରେ ପଡ଼ି ରହିଥିଲା ଏକ ବଡ଼ ଏୟାର ବ୍ୟାଗ୍ । ଆଜି ସକାଳୁ ଏହି ବ୍ୟାଗ୍ଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଏକ କାର୍ ସୋରୁମ୍ର ମ୍ୟାନେଜର । ସେ ସୋରୁମ୍ ଖୋଲିବା ସମୟରେ ବ୍ୟାଗ୍ଟି ସେଠାରେ ପଡ଼ିଥିବା ଦେଖିବା ସହ ସେଥିରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବା ଅନୁଭବ କରିଥିଲେ । ଏହାକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ତୁରନ୍ତ ଚାନ୍ଦିଲି ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ରାୟଗଡା ଏସଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚିଥିଲେ । ଚାନ୍ଦିଲି ପୁଲିସ ଓ ରାୟଗଡ଼ା ସହକାରୀ ଜିଲ୍ଲାପାଳ ଶୁଭେନ୍ଦୁ ସାହୁଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ମୃତଦେହକୁ ବ୍ୟାଗରୁ କାଢ଼ି ଯାଞ୍ଚ କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ମହିଳାଙ୍କ ମୃତଦେହ ବୋଲି ସ୍ପଷ୍ଟ ହୋଇଛି । ଏହି ମୃତଦେହର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ, ଏହି ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ କୌଣସି ପରିଚୟ ମିଳପାରିନାହିଁ । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ମହିଳାଙ୍କୁ ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଚାଲିଯାଇଛି, ତାହା ଏବେ ପୋଲିସ ପାଇଁ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନମୁନା ସଂଗ୍ରହ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଦିଗକୁ ଆଖିରେ ରଖି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଉଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଭୟ ଓ ଚାଞ୍ଚଲ୍ୟର ବାତାବରଣ ସୃଷ୍ଟି କରିଛି । ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ବର୍ତ୍ତମାନ କାର୍ ସୋରୁମ୍ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଏବଂ ଜାତୀୟ ରାଜପଥରେ ଯାତାୟାତ କରିଥିବା ସନ୍ଦେହଜନକ ଗାଡ଼ିଗୁଡ଼ିକର ସୂଚନା ଆଧାରରେ ଖୋଳତାଳ ଚଳାଇଛି ।

