ପୋଲସରା,୬।୭(ସୁଧାଂଶୁ ଶେଖର ସାହୁ):ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଖୁସୀ। ଯଦିବା ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଛି କିନ୍ତୁ ପୋଲସରା ଅଞ୍ଚଳରେ ଗତ ଦୁଇଦିନ ଧରି ଲାଗିରହିଥିବା ବର୍ଷା ପାଇଁ ଏକ ବଡ ବିପର୍ଯୟ ରୁ ବର୍ତ୍ତିଯାଇଛି ଚାଷୀକୁଳ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ବର୍ଷା ଅଭାବରୁ ଅନେକ ସ୍ଥାନରେ ଧାନ ତଳି ପୋଡି ଯାଇଛି ଏବଂ କିଛି ସ୍ଥାନରେ ତାତି ଯାଇଥିବାରୁ ସମଗ୍ର ଚାଷୀକୁଳ ବ୍ୟସ୍ତବିବ୍ରତ ହୋଇପଡ଼ିଥଲେ। ପୋଲସରା ବ୍ଲକର ମୋଟ ୨୬ ଟି ପଞ୍ଚାୟତରେ ଏବେ ତଳି ପୋଡିବା ଆଶଙ୍କା ରେ ଦିନକଟୁଥିଲେ। କିନ୍ତୁ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ପ୍ରଭାବର ଲଗାଣ ବର୍ଷାରେ ଚାଷୀ ଦିନରାତି ଏକ କରି ଜମି ସଜାଡ଼ିବା ରେ ଲାଗୁଛନ୍ତି। ବିଭିନ୍ନ ପଞ୍ଚାୟତ ରେ ତଳି ପକା, ଜମି କୁ କାଦ କରିବା ଓ ରୁଆ କାର୍ଯ୍ୟ ପାଇଁ ସବୁଠି ଚାଷୀମାନେ ବର୍ତମାନ ବିଲ ଅଭିମୁଖେ ବାହାରିଛନ୍ତି। ପୋଲସରା ବ୍ଲକ ର ପ୍ରାୟ ୭୦ ଭାଗ ଚାଷୀ ବର୍ଷା ପାଇଁ ଚାତକ ଭଳି ଚାହିଁ ବସିଥିବା ବେଳେ ଲଘୁଚାପ ଜନିତ ବର୍ଷା ସେମାନଙ୍କ ପାଇଁ ଆଶ୍ୱସ୍ତ ଆଣିବା ସହ କିଛିମାତ୍ରା ରେ ଚାଷୀଙ୍କ ଚିନ୍ତା ଦୁରକରିପାରିବ ବୋଲି କୃଷି ବିଶେଷଜ୍ଞ ମତ ଦେଇଛନ୍ତି । ଚଳିତ ବର୍ଷର ଖରିଫ ଫସଲ ପାଇଁ ଏଭଳି ଝିପି ଝିପି ବର୍ଷା ଲାଭଦାୟକ ହେବ ଏବଂ ଚାଷ କାମ ଆଗକୁ ଯାଇପାରିବ ବୋଲି ଚାଷୀ ଶିବପ୍ରସାଦ ସାହୁ ଓ ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି। ଅନ୍ୟପଟେ କିନ୍ତୁ ଚାଷ ଋତୁ ଆରମ୍ଭରୁ ଅଞ୍ଚଳର କିଛି ଅସାଧୁ ସାର ବ୍ୟବସାୟୀ ଚାଷୀଙ୍କ ଚାହିଦା କୁ ଦୃଷ୍ଟିରେ ରଖି ଏବେଠାରୁ ୟୁରିଆ ପିଢ଼ିଆ ବସ୍ତା ପିଛା ସରକାରୀ ଦର ଠାରୁ ୩ଗୁଣା ଅଧିକ ନେଉଥିବା ଅଭିଯୋଗ ଆସିଛି। ଗୋଟିଏ ପଟେ ଲଗାଣ ବର୍ଷା ଚାଷୀ ମନରେ ଟିକେ ଖୁସୀ ଆଣିଥିବା ବେଳେ ସାର ବିକ୍ରିରେ ଏବେଠୁ କଳାବଜାରୀ ଆରମ୍ଭ ହେବା ଜାଣି ଚାଷୀଙ୍କ ମନରେ ଛନକା ପଶିଥିବା ମନେହେଉଛି।

