ଖୋର୍ଦ୍ଧା,୧୦।୯(କେଦାର ନାଥ ସାହୁ):କଲେକ୍ଟୋରେଟ୍ର ସମ୍ମିଳନୀ କକ୍ଷରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟମନ) ଅଧିନିୟମ, ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଶ୍ରୀ ପ୍ରତାପ ଚନ୍ଦ୍ର ବେହେରିଆ, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ତଥା ନୋଡାଲ୍ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକଟି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା।ବୈଠକରେ ଶ୍ରୀ ଅଜୟ କୁମାର ପ୍ରଧାନ, ପ୍ରଭାଗିୟ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଭାକର ବିଶ୍ୱାଳ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସଙ୍ଗ୍ରାମ ଦଳେଇ, ସହକାରୀ ଶ୍ରମ ଅଧିକାରୀ; ଶ୍ରୀ ଜ୍ୟୋତି ରଞ୍ଜନ ବାରିକ, ସହକାରୀ ଶ୍ରମ ଅଧିକାରୀ, ସୁଶ୍ରୀ ଦେବାଶ୍ରୀ ବେହେରା, ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ଶିଶୁ କଲ୍ୟାଣ କମିଟି (CWC) ସଦସ୍ୟ, NGO ପ୍ରତିନିଧି, DCPU, EdTech, SDPO ଖୋର୍ଦ୍ଧା ଏବଂ ଚାଇଲ୍ଡ ହେଲ୍ପଲାଇନ୍ ସଦସ୍ୟମାନେ ଯୋଗଦେଇଥିଲେ।ବୈଠକରେ କେବଳ ଶିଶୁ ଓ କିଶୋର ଶ୍ରମିକଙ୍କ ଉଦ୍ଧାର ଉପରେ ନୁହେଁ, ବରଂ ଉଦ୍ଧାର ପରବର୍ତ୍ତୀ ସ୍ଥାୟୀ ପୁନର୍ବାସନ, ଆବଶ୍ୟକତା ଅନୁଯାୟୀ ଶିଶୁ ଓ କିଶୋରଙ୍କ ଟ୍ରାକିଂ, ତ୍ୱରିତ ଆର୍ଥିକ ସହାୟତା ଏବଂ ନିୟମିତ ଫଲୋଅପ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ପାଇଁ ଏକ ସମର୍ପିତ WhatsApp ଗ୍ରୁପ୍ ଗଠନ କରିବା ଏବଂ ପ୍ରତିମାସ ନିୟମିତ ସମୀକ୍ଷା ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଅଧ୍ୟକ୍ଷ ମହୋଦୟ ଉଲ୍ଲେଖ କରିଥିଲେ ଯେ, ଶିଶୁ ଶ୍ରମ କେବଳ ଏକ ସ୍ୱତନ୍ତ୍ର ସମସ୍ୟା ନୁହେଁ; ଏହା ପଛରେ ଥିବା ଦାରିଦ୍ର୍ୟ, ଶିକ୍ଷାରୁ ବଞ୍ଚିତ ,ସ୍କୁଲ୍ ଛାଡ଼ିବା, ପରିବାରର ଆର୍ଥିକ ଅସୁରକ୍ଷା, ପ୍ରବାସ ଓ ଅନ୍ୟାନ୍ୟ ସାମାଜିକ-ଆର୍ଥିକ କାରଣର ମୂଳ କାରଣ ବିଶ୍ଳେଷଣ କରି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏହା ସହିତ ଶିଶୁମାନଙ୍କୁ ଶିକ୍ଷା, କୌଶଳ ବିକାଶ, ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସରକାରୀ ସୁବିଧା ସହିତ ଯୋଡ଼ି ସେମାନଙ୍କର ସୁରକ୍ଷିତ ଓ ସ୍ଥାୟୀ ପୁନର୍ବାସନ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

