ବୁଗୁଡ଼ା,୭।୯ (ପୂର୍ଣ୍ଣ ଚନ୍ଦ୍ର ବାରିକ):ବୁଗୁଡ଼ା ଶ୍ରୀସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବେଦ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡ଼ା ଓ ପୋଲସରା ସେବା ସମିତି ଏବଂ ସମଗ୍ର ଭଜନ ମଣ୍ଡଳୀର ଶତାଧୂକ ବେଦପାଠୀ ଅଂଶ ଗ୍ରହଣ କରି ବେଦପାଠ ସମ୍ପର୍କିତ ବହୁ ଜ୍ଞାତବ୍ୟ ସୂତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଶିବିରରେ ପ୍ରଶିକ୍ଷକ ଭାବେ କାର୍ତ୍ତିକେଶ୍ବର ପଣ୍ଡା ଓ ସିଦ୍ଧାର୍ଥ ଶଙ୍କର ମଲ୍ଲିକ ଯୋଗ ଦେଇ ବିଭିନ୍ନ ଗାୟନ କୌଶଳ ବତାଉଥିଲେ। ସାଇ ଜିଲ୍ଲା ଗଞ୍ଜାମ–୨ର ସଭାପତି ଦେବାଶିଷ ମିଶ୍ର ଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ବେଦ ସଂଯୋଜକ ନାଗରାଜ ଭାଇ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ସେବା ସଂଯୋଜକ ଶିବରାମ ନାହାକ ଶିବିରକୁ ସଂଯୋଜନା କରିଥିଲେ। ଜିଲ୍ଲା ସାଇ ସିମ୍ଫୋନି ପକ୍ଷରୁ ବାଲ ବିକାଶ ପିଲାଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ପ୍ରାତଃରୁ ଓମକାର, ସୁପ୍ରଭାତ, ନଗର ସଂକୀର୍ତ୍ତନ ଏବଂ ପ୍ରଶାନ୍ତି ଧ୍ବଜା ଉତ୍ତୋଳନ କରାଯାଇଥିଲା। ଶେଷରେ ବୁଗୁଡ଼ା ସତ୍ୟସାଇ ସେବା ସମିତିର ଆବାହକ ଏମ୍.ସୂର୍ଯ୍ୟନାରାୟଣ ସୁବୁଦ୍ଧି କୃତଜ୍ଞତା ଜ୍ଞାପନ କରିଥିଲେ।

