ବେଗୁନିଆପଡ଼ା,୪।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ବୁରୁଝରି ପଞ୍ଚାୟତରେ ସଫେଇ ବ୍ୟବସ୍ଥା ଏବେ ପ୍ରଶ୍ନଘେରରେ। ଗୋଟିଏ ପଟେ ସଫେଇ ଓ ସ୍ୱଚ୍ଛତା ନାଁରେ ବର୍ଷକୁ ବର୍ଷ ଟଙ୍କା ଖର୍ଚ୍ଚ ହେଉଛି, ଅନ୍ୟପଟେ ପଞ୍ଚାୟତର ବିଭିନ୍ନ ଗ୍ରାମରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି। ଫଳରେ ସରକାରୀ ଖର୍ଚ୍ଚର ହିସାବ ଓ ଦେଖାଯାଉଥିବା ସଫେଇର ଚିତ୍ର ମଧ୍ୟରେ ବଡ଼ ଫରକ ସାମ୍ନାକୁ ଆସିଛି। ‘ମେରି ପଞ୍ଚାୟତ’ ଆପରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ସଫେଇ ନାଁରେ ୧ ଲକ୍ଷ ୪ ହଜାର ୧୮୫ ଟଙ୍କା, ୨୦୨୫-୨୬ରେ ୯୦ ହଜାର ୨୧୭ ଟଙ୍କା ଏବଂ ୨୦୨୬-୨୭ରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଅଭିଯାନ ନାଁରେ ୭୮ ହଜାର ୬୫୦ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଅର୍ଥାତ୍ ତିନି ବର୍ଷରେ ମୋଟ ୨ ଲକ୍ଷ ୭୩ ହଜାର ୫୨ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି, ଏତେ ଟଙ୍କା ଖର୍ଚ୍ଚ ପରେ ବି ଯଦି ରାସ୍ତାକଡ଼, ଗାଁର ବିଭିନ୍ନ ସ୍ଥାନ ଓ ସର୍ବସାଧାରଣ ସ୍ଥାନରେ ଅଳିଆ ଗଦା ହୋଇ ରହିଛି, ତେବେ ସଫେଇ ହେଉଛି କେଉଁଠି? ସଫେଇ କାମର ତଦାରଖ କରିବା ଦାୟିତ୍ୱ କାହାର? ଖର୍ଚ୍ଚ ହେଉଥିବା ଟଙ୍କାର ବିନିଯୋଗ ଠିକ୍ ଭାବେ ହେଉଛି କି ନାହିଁ, ତାହା ଯାଞ୍ଚ କରୁଛି କିଏ? ପଞ୍ଚାୟତରେ ସଫେଇ କାର୍ଯ୍ୟ ହେଉଥିଲେ ତାହାର ଚିହ୍ନ ଗାଁରେ କାହିଁକି ଦେଖାଯାଉନାହିଁ? ସବୁଠାରୁ ବଡ଼ ପ୍ରଶ୍ନ, ଲୋକଙ୍କ ଟଙ୍କାରେ ସଫେଇ ହେଉଛି, ନା କାଗଜପତ୍ରରେ ସଫେଇ ଦେଖାଯାଉଛି? ପଞ୍ଚାୟତର ଲୋକପ୍ରତିନିଧି ଏହାର ଜବାବ ଦେବେ କି? ଦାୟିତ୍ୱରେ ଥିବା ପ୍ରଶାସନ ଏହି ବ୍ୟତିକ୍ରମର ଯାଞ୍ଚ କରିବ କି? ନା ଅଳିଆ ଗଦା ଭିତରେ ପ୍ରଶ୍ନଗୁଡ଼ିକ ମଧ୍ୟ ଚାପି ହୋଇ ରହିଯିବ?ବୁରୁଝରିରେ ସଫେଇ ନାଁରେ ହୋଇଥିବା ଖର୍ଚ୍ଚ ଓ ବାସ୍ତବ ସଫେଇର ଚିତ୍ର ମଧ୍ୟରେ ଥିବା ଫରକର ନିରପେକ୍ଷ ଯାଞ୍ଚ ପାଇଁ ଲୋକେ ଦାବି କରିଛନ୍ତି ।

