ବ୍ରହ୍ମପୁର,୨୮।୮(ହିମାଂଶୁ କୁମାର ସାବତ):ହେଉଛି ପବିତ୍ର ରକ୍ଷା ବନ୍ଧନ ଏହି ଅବସରରେ ଭାଇ-ଭଉଣୀର ସମ୍ପର୍କ ଭଳି ବୃକ୍ଷ ଓ ମଣିଷ ସମ୍ପର୍କର ଏକ ନିଆରା ବାର୍ତ୍ତା ନେଇ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ “ବୃକ୍ଷ ହଁ ଜୀବନ” ଓ “ବୃକ୍ଷ ସହ ରକ୍ଷା ବନ୍ଧନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଏବଂ ସମ୍ମାନିତ ଅତିଥି ଭାବେ ବୃକ୍ଷ ପ୍ରେମୀ ଶ୍ରୀ ମହାରଣା ଯୋଗଦେଇ ବୃକ୍ଷକୁ କଣ୍ଟା ବେଦନା ଠାରୁ ମୁକ୍ତି ଦେଇ ରାକ୍ଷୀ ବାନ୍ଧିବା ସହ ଏହାର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ୨୦୧୮ ମସିହା ଠାରୁ ସଂଗଠନ ପକ୍ଷରୁ “ମୁଁ ବି ବଞ୍ଚିବାକୁ ଚାହେଁ” ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହି ଅଧୀନରେ ରାସ୍ତା କଡ଼ର ବୃକ୍ଷ ଗୁଡ଼ିକରେ ବେଆଇନ ଭାବେ ଲଗାଯାଇଥିବା ଲୁହା କଣ୍ଟା, ଲୁହା ତାର ଓ ବିଜ୍ଞାପନ ବୋର୍ଡ ଆଦିକୁ ବାହାର କରାଯାଇଥିଲା। ବୃକ୍ଷରେ ହୋଇଥିବା କ୍ଷତ ସ୍ଥାନରେ ହଳଦୀ, ନୀମ ପତ୍ର, ଗୋବର ଓ ଧଳା ଚୂନର ପ୍ରାକୃତିକ ମିଶ୍ରଣ ପ୍ରୟୋଗ କରାଯାଇ ବୃକ୍ଷର ସୁରକ୍ଷା ପାଇଁ ପ୍ରାକୃତିକ ଉପାୟ ଅବଲମ୍ବନ କରାଯାଇଥିଲା।ସଂଗଠନ ପକ୍ଷରୁ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ କରଯାଇଥିଲା ବେଳେ ଏହି ବର୍ଷ ଗଛ ର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆ ଯାଇଥିଲା ସେଥିପାଇଁ “ମୁଁ ବି ବଞ୍ଚିବାକୁ ଚାହେଁ” ଅଭିଯାନ ମାଧ୍ୟମରେ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଥିବା ବୃକ୍ଷଗୁଡ଼ିକୁ କଣ୍ଟାମୁକ୍ତ କରାଯାଇଥିଲା। ଚଳିତ ରକ୍ଷା ବନ୍ଧନରୁ ଏହି ଅଭିଯାନକୁ ଆହୁରି ବ୍ୟାପକ କରି ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି।ବୃକ୍ଷରେ ବାରମ୍ବାର କଣ୍ଟା ମାରିବା, ତାର କିମ୍ବା ବିଜ୍ଞାପନ ବୋର୍ଡ ବାନ୍ଧିବା ଦ୍ୱାରା ବୃକ୍ଷର ଛାଲ ଓ ତନ୍ତୁ କ୍ଷତିଗ୍ରସ୍ତ ହୋଇ ଧୀରେ ଧୀରେ ବୃକ୍ଷର ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଏହା ସହିତ ବୃକ୍ଷର ମୂଳକୁ କଂକ୍ରିଟ୍ରେ ଆବଦ୍ଧ କରିବା ଏବଂ ଗଛକୁ ଲାଗି ଲୁହା ଜାଲି ଲଗାଇବା ମଧ୍ୟ ବୃକ୍ଷର ସ୍ୱାଭାବିକ ବୃଦ୍ଧିରେ ବାଧା ସୃଷ୍ଟି କରେ।ତେଣୁ ବୃକ୍ଷକୁ କଣ୍ଟା ଓ ତାରରୁ ମୁକ୍ତ କରିବା, ବୃକ୍ଷର ମୂଳକୁ କଂକ୍ରିଟ୍ ମୁକ୍ତ ରଖିବା, ଗଛକୁ ଲାଗିଥିବା ଲୁହା ଜାଲି ଅପସାରଣ କରିବା ଏବଂ ସହରର ସବୁଜ ସମ୍ପଦକୁ ସୁରକ୍ଷିତ ରଖିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।“ଗଛକୁ ରାକ୍ଷୀ ବାନ୍ଧିବା କେବଳ ଏକ ପରମ୍ପରା ନୁହେଁ, ଏହା ଆମ ଜୀବନ ଦାତା ବୃକ୍ଷର ସୁରକ୍ଷା ପାଇଁ ଏକ ସାମୂହିକ ପ୍ରତିଶ୍ରୁତି।”ଏହି କାର୍ଯ୍ୟକ୍ରମକୁ ସଭାପତି ଶିବରାମ ପାଣିଗ୍ରାହୀ ଓ ସମ୍ପାଦକ ସାଗର ପ୍ରସାଦ ପାତ୍ର ପରିଚାଳିତ କରିଥିବା ବେଳେ ପରିବେଶ ବିତି ସ୍ୱାଧୀନ ସାହୁ ଓ ଏଭିପି ସଭାପିତି ସାଗର କୁମାର ପାତ୍ର , ଆଡଭୋକେଟ୍ ପଦ୍ମନାଭ ଡ଼ାଭେ ଓ ସଂଗଠନର ସଦସ୍ୟ ଏ ପ୍ରକାଶ,ପି ବିନଦ, ପ୍ରମୁଖ ସହଯୋଗ କରିଥିଲେ

