ଖଜୁରୀପଡ଼ା,୩।୧୧(ମନୋଜ କୁମାର ବେହେରା):ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅଞ୍ଚଳରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସହ ଅସହାୟ, ବୃଦ୍ଧବୃଦ୍ଧା ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ñସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ସେଠାରେ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି।ଏହି ପରିପ୍ରେକ୍ଷୀରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ମନୋଜ ପଣ୍ଡା ଓ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ ଖଜୁରୀପଡ଼ା ଅଞ୍ଚଳରେ ପହଞ୍ଚି ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଥିବା ବ୍ୟବସ୍ଥା ଓ ସରକାରୀ ପଦକ୍ଷେପର ତଦାରଖ କରିଥିଲେ।ଆଶ୍ରୟସ୍ଥଳୀରେ ରହୁଥିବା ଅସହାୟ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ, ରହିବା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଠିକ୍ ଭାବେ ମିଳୁଛି କି ନାହିଁ, ସେ ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଥିଲେ। ଏଥିସହିତ ବିପଦ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା କରିବାକୁ ଗୁରୁତ୍ୱ ଦିଆଯାଇଥିଲା।ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସହିତ ଜନପ୍ରତିନିଧିମାନଙ୍କ ଏହି ତଦାରଖ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଗୁରୁତ୍ୱ ଦିଆଯାଇଛି।

