କୋଦଳା:ଜନବାଣୀ,୧୯/୦୬(ବାପୁନି ମାଲୁ):ଗରିବ ଲୋକଙ୍କ ଜୀବନକୁ ସହଜ କରିବାକୁ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବରେ ଏ ଯୋଜନାରୁ ଉପକୃତ ହେଉନାହାନ୍ତି ଗରିବ ଅସହାୟ ପରିବାର ।ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ଅନେକ ସମୟରେ ଆମ ବିଧି ବ୍ୟବସ୍ଥା ମଧ୍ୟରେ ଅନେକ ପରିବାର ଏଭଳି ଯୋଜନାରୁ ବଞ୍ଚିତ ହୋଇ ରହି ଯାଇଥାନ୍ତି । ସମାଜର ତଳ ସ୍ତରରେ ଥିବା ଗରିବ ନିରୀହ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ।ହେଲେ ଏଭଳି ଏକ ଅସହାୟ ପରିବାର ଯେଉଁ ପରିବାର ନିକଟରେ ସମସ୍ତ ସରକାରୀ ଯୋଜନା ଆଜି ମଧ୍ୟ ଅପହଞ୍ଚ ହୋଇଛି ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମଠ ସରସିଂ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। କାନ୍ଦି କାନ୍ଦି ପ୍ରଶାସନ ପାଖରେ ଅଭିଯୋଗ କରୁଛନ୍ତି ଅସହାୟ ମହିଳା। ମହିଳା ଜଣକ ହେଉଛନ୍ତି ମଠ ସରସିଂ ଗ୍ରାମର ରଞ୍ଜିତା ପାଳ। ମହିଳାଙ୍କ ସ୍ବାମୀ ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ଏବେ ପକ୍ଷାଘାତ ରୋଗୀ। ଘରର ରୋଜଗାରୀଆ ସ୍ବାମୀ ଦୀର୍ଘ ୩ ରୁ ଉର୍ଦ୍ଧ୍ବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ମିଳୁନି କୌଣସି ସରକାରୀ ସହାୟତା। ସେପଟେ ଆବାସ ଗୃହ ପାଇବା ପାଇଁ ଏ ଅଫିସ ରୁ ସେ ଅଫିସ୍ ଦୌଡି ଦୌଡି ନୟାନ୍ତ ହେଲେଣି ମହିଳା। କେହି ଶୁଣୁ ନାହାଁନ୍ତି। ଓଲଟା ହାତଗୁଞ୍ଜା ମାଗୁଥିବା ଅଭିଯୋଗ କରିଛନ୍ତି ମହିଳା। ଏନେଇ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ ମହିଳା ଜଣକ କାନ୍ଦି କାନ୍ଦି କାକୁତି ମିନତି ହୋଇ ସହାୟତା ପ୍ରଦାନ ପାଇଁ ଅଧିକାରୀ ମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।ଏହି ପରିବାରକୁ ପକ୍କା ଘରଟିଏ ମିଳିନାହିଁ। ସରକାରୀ କାର୍ଯ୍ୟାଳୟର ନାଲି ଫିତା ତଳେ ଗରିବ ଖଟିଖିଆଙ୍କ ଦୁଃଖ ଦୁର୍ଦଶାକୁ ଚାପି ରଖିଦିଆଯାଉଥିବା ଅଭିଯୋଗ ହୋଇଛି । ଗଣ୍ଡାଏ ଦାନା ଓ ସୁରକ୍ଷିତ ଆଶ୍ରୟ ଖୋଜୁଥିବା ପରିବାରର ପିଲାମାନେ ଅତି ଦୁର୍ଦଶା ମଧ୍ୟରେ ପାଠ ପଢୁଛନ୍ତି। ବିକଶିତ ଓଡ଼ିଶାର ନାରା ଦେଉଥିବା ସରକାର, ବ୍ଲକ ପ୍ରଶାସନ ଏହି ପରିବାର ପ୍ରତି ନଜର ଦେବାର ଆବଶ୍ୟକତା ରହିଛି। ସେପଟେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଏହି ଅସହାୟ ପରିବାରର ଦୁଃଖଦ କାହାଣୀ ବ୍ଲକ ପ୍ରଶାସନର ନଜରକୁ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

