ନୂଆପଡ଼ା , ସିନାପାଲି : ୨୨/୦୩: ସିନାପାଲି ଠାରେ ଆଗାମୀ ଉଦନ୍ତୀ ମହୋତ୍ସବ ୨୦୨୬ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମେହେର ଚଳିତ ବର୍ଷ ପାଇଁ ସଭାପତି ଭାବେ ଉପସ୍ଥିତ ଥିଲେ। ସମ୍ପାଦକ ସୁରଜ ମେହେର, ବରିଷ୍ଠ ଆଇନଜୀବୀ ବୈଷମ୍ପାୟାନ ମେହେର, ଡମ୍ବରୁଧର ମେହେର, ତୁଳସୀ ରାମ ମେହେର, ରବୀନ୍ଦ୍ରନାଥ ଯୋଶୀ ଓ ଦିବ୍ୟରଞ୍ଜନ ନାଏକ ମଧ୍ୟ ଉପସ୍ଥିତ ଥିଲେ।ସୂଚନା ଅନୁସାରେ, ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦନ୍ତୀ ମହୋତ୍ସବ ୨୦୨୬ ମସିହାରେ ୨୧ ବର୍ଷ ପଦାର୍ପଣ କରୁଛି। ଏହି ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ସୁସଂଗଠିତ କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।ମହୋତ୍ସବ ସମୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ କରାଯାଇଥିବା ବେଳେ ପରିବେଶ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥି ସହ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ତାଙ୍କର କଳା ପ୍ରଦର୍ଶନ କରିବେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ପାଇଁ ସମଗ୍ର କାର୍ଯ୍ୟକ୍ରମ ସ୍ଥଳରେ ସିସିଟିଭି ର କଡା ନଜର ରହିବ।ଆସନ୍ତା ୨୭ ତାରିଖ ଦିନ ୩ ଘଟିକାରୁ ସିନାପାଲି ଶକ୍ତିପୀଠରୁ ଏକ ଭବ୍ୟ ମଶାଲ ଯାତ୍ରା ଆରମ୍ଭ ହେବ। ଏହି ମହୋତ୍ସବ ୨୭ ତାରିଖ ରୁ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଯାତ୍ରା ନଗର ପରିକ୍ରମା କରି ମୁଖ୍ୟ ମହୋତ୍ସବ ସ୍ଥଳରେ ପହଁଚିବ। ନଗର ପରିକ୍ରମା ସମୟରେ ବିଭିନ୍ନ ସାଂସ୍କୃତିକ କଳାକାରମାନେ ମଧ୍ୟ ଯୋଗଦେଇ ଉତ୍ସବକୁ ଆହୁରି ରଙ୍ଗିନ କରିବେ।ଶେଷରେ ସମସ୍ତ ଅଞ୍ଚଳବାସୀଙ୍କୁ ଏହି ଉଦନ୍ତୀ ମହୋତ୍ସବରେ ଯୋଗଦେଇ ଏହାକୁ ସଫଳ କରିବାକୁ ଆହ୍ୱାନ କରାଯାଇଛି। ଶେଷରେ ଦିବ୍ୟ ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

