ଖୋର୍ଦ୍ଧା,୨୯/୦୬(କେଦାର ନାଥ ସାହୁ):ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମହାନ ପରାକ୍ରମୀ ଗଜପତି ସମ୍ରାଟ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଇତିହାସର ପୁନଃଜାଗରଣ, ଓଡ଼ିଶାର ବୀର ପରମ୍ପରାର ପ୍ରଚାର ଏବଂ ଯୁବପିଢ଼ିଙ୍କ ମନରେ ଇତିହାସ ଓ ସଂସ୍କୃତି ପ୍ରତି ଗର୍ବବୋଧ ସୃଷ୍ଟି କରିବାର ଉଦ୍ଦେଶ୍ୟରେ “ଜାଗରଣ ପଥ ଉତ୍ସବ” ସମବାୟ ବ୍ୟାଙ୍କ ଠାରୁ ଷ୍ଟେଷ୍ଟ ବ୍ୟାଙ୍କ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ (OAS) ଅଧିକାରୀ, ସୁରେଶ ଛୋଟରାୟ ଯୋଗଦେଇ ମହାନ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ବୀରତ୍ୱ, ସୁଶାସନ ଏବଂ ଐତିହାସିକ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ. ଗିରିଜା ନନ୍ଦିନୀ କାନୁନଗୋ, ପ୍ରଫେସର ଶ୍ରୀ ନିଳୟମ ସଡ଼ଙ୍ଗୀ, ଡେପୁଟି କମିଶନର, ବାଣିଜ୍ୟକର ଏବଂ ଇଞ୍ଜିନିୟର ଆଶିଷ ବିଦୁରେନ୍ଦ୍ର ଛୋଟରାୟ, ରାଜ୍ୟ ସହ-ସଂଯୋଜକ, (ହିନ୍ଦୁ ଜାଗରଣ ମଞ୍ଚ, ଓଡ଼ିଶା) ଯୋଗଦେଇ ନିଜ ଅଭିଭାଷଣରେ ଓଡ଼ିଶାର ଗୌରବମୟ ଇତିହାସ, ସଂସ୍କୃତି ଓ ଜାତୀୟ ଚେତନାର ସୁରକ୍ଷା ଏବଂ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଜାଗରଣ ପଥ ଉତ୍ସବରେ ବହୁଳ ଜନସମାଗମ ହେବା ସହିତ ଯୁବକ, ଇତିହାସପ୍ରେମୀ, ସାମାଜିକ କର୍ମୀ, ସାମ୍ବାଦିକ ଏବଂ ସାଧାରଣ ଜନସାଧାରଣ ଅଂଶଗ୍ରହଣ କରି ମହାନ ଗଜପତି ସମ୍ରାଟ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଐତିହ୍ୟକୁ ସ୍ମରଣ କରିଥିଲେ । ଆୟୋଜକ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଗୌରବମୟ ଇତିହାସ, ବୀର ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ତଥା ଯୁବପିଢ଼ିଙ୍କ ମଧ୍ୟରେ ଇତିହାସ ପ୍ରତି ଆଗ୍ରହ ଓ ଗର୍ବବୋଧ ସୃଷ୍ଟି କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଜନଜାଗରଣ କାର୍ଯ୍ୟକ୍ରମ ଜାରି ରହିବ ।

