ବ୍ରହ୍ମପୁର,୨୪/୦୬(ହିମାଂଶୁ ଶେଖର ସାବତ ):ଗତ ୧୨-୪-୨୦୨୩ ତାରିଖ ରାତିରେ ଯୁଆଣପଲ୍ଲୀ ଫସିବନ୍ଧ ରାସ୍ତାରେ ଏକ ଅଟୋରୁ ୧୨୪.୩୦୦ କେଜି ଗଞ୍ଜେଇ ଜବତ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ମାମଲାର ବିଚାରଣା କରି ତୃତୀୟ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ଶ୍ରୀ ବିବୋଶ୍ୱତ ଗୌତମ ଅଭିଯୁକ୍ତ ରବି ଗୌଡ଼ଙ୍କୁ ସାକ୍ଷ୍ୟ ପ୍ରମାଣର ଅଭାବରୁ ଖଲାସ କରିଛନ୍ତି।ସୂଚନାପ୍ରକାରେ, ଘଟଣାଦିନ ରାତିରେ ଓଡି-୦୭-ଏକେ-୬୮୧୭ ନମ୍ବର ବିଶିଷ୍ଟ ଏକ ଅଟୋରେ ତିନିଜଣ ବ୍ୟକ୍ତି ଆସୁଥିବା ବେଳେ ପାଟପୁର ପୋଲିସ ତଲାସି କରିଥିଲା। ତଲାସି ସମୟରେ ଅଟୋ ମଧ୍ୟରୁ ୧୨୪.୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ ରବି ଗୌଡ଼ ଓ ହୃଷିକେଶ ଗୌଡ଼ଙ୍କୁ ପୋଲିସ ଗିରଫ କରିଥିଲା।ପରେ ମାମଲାର ବିଚାରଣା ଚାଲିଥିବା ସମୟରେ ହୃଷିକେଶ ଗୌଡ଼ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରବି ଗୌଡ଼ଙ୍କ ବିରୋଧରେ ମାମଲାର ବିଚାରଣା ଜାରି ରହିଥିଲା। ଆଜି ଅଦାଲତରେ ୧୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ଓ ବିଚାର କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ଅଦାଲତ ତାଙ୍କୁ ଖଲାସ କରିଛନ୍ତି।ମୁଦାଲା ପକ୍ଷରୁ ଆଇନଜୀବୀ ଶଙ୍କର ସାହୁ ଓ ଶାନ୍ତି ରାଣୀ ଚୌଧୁରୀ ମୋକଦ୍ଦମା ପରିଚାଳନା କରିଥିଲେ।

