ବୁଗୁଡ଼ା,୧୫।୯(ଡ.କୁମୁଦ ଚନ୍ଦ୍ର ବେହେରା):ଦିନ ଥିଲା ଗାଁ ଗାଁରେ ଦାଣ୍ଡ ବାଡ଼ିରେ ବିଭିନ୍ନ ପନିପରିବା ଫଳୁଥିଲା ଲୋକେ ଆନନ୍ଦରେ ସେଗୁଡ଼ିକ ବ୍ୟବହାର କରି ପାରୁଥିଲେ।ବିଲ ଓ ପଦର ମାଳରେ ମଧ୍ୟ ବିଭିନ୍ନ ଫସଲ ହେଉଥିଲା ,ଦରଦାମ୍ ମଧ୍ୟ ନିୟନ୍ତ୍ରଣରେ ରହିଥିଲା।ସମ୍ପ୍ରତି ତାହା ଆଉ ନାହିଁ।ଗାଁରୁ ସହର ସବୁଠି ପାତି ମାଙ୍କଡ଼ଙ୍କ ପ୍ରାଦୁର୍ଭାବରେ ଏସବୁ ଲୋପ ପାଇଯିବାକୁ ବସିଲାଣି।ଏବେ ନିକଟସ୍ଥ ଜଙ୍ଗଲରୁ ମାଙ୍କଡ ସବୁ ଗାଁ ମୁହାଁ ହୋଇ ଉପଦ୍ରବ ଘଟାଇ ଚାଲିବାରୁ ଲୋକେ ବେଶ୍ ଆତଙ୍କିତ ଓ ହନ୍ତସନ୍ତ ହେଉଛନ୍ତି।ଲୋକଙ୍କୁ ଆକ୍ରମଣ କରିବା ସହିତ ଫସଲ ଉଜାଡ଼ିବାରେ ଏମାନେ ଦଳଗତ ଭାବେ ବେଶ୍ ମାହିର ଥିବାରୁ ବର୍ତ୍ତମାନ ଚିନ୍ତା ବଢିଯାଇଛି।ଏମାନେ ସାଧାରଣ ଫୁଲ କଢ଼ଠୁ ଆରମ୍ଭ କରି ଗୃହ ଉପକରଣ ମଧ୍ୟ ନଷ୍ଟ କରିଚାଲିଛନ୍ତି।ବହୁ ନିରୀହ ଲୋକଙ୍କୁ କାମୁଡିବା ଦେଖାଯାଉଛି। ଏମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରାନଗଲେ ଭବିଷ୍ୟତରେ ବହୁ ବିପଦ ଆସିବା ପ୍ରାୟ ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି।ଏମାନେ ସେଡ୍ୟୁଲ ପ୍ରାଣୀ ହୋଇନଥିଲେ ମଧ୍ୟ ଏମାନଙ୍କ ଏତାଦୃଶ ଉତ୍ପାତ ସତ୍ତ୍ୱେ କେହି କିଛି ପଦକ୍ଷେପ ନେବାକୁ ପଛ ଘୁଞ୍ଚା ଦେଉଛନ୍ତି।ଅନ୍ତତଃ ବନବିଭାଗ ଏମାନଙ୍କ ବନ୍ଧ୍ୟାକରଣ କରି ଦୁରବସ୍ଥାର ନିୟନ୍ତ୍ରଣ କରନ୍ତୁ ବୋଲି ମତ ପ୍ରକାଶ ପାଇଛି।

