ବେଗୁନିଆପଡ଼ା,୧୯।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଚିଙ୍ଗୁଡ଼ିଖୋଲ ମୁଖ୍ୟରାସ୍ତାର ଅବସ୍ଥା ଏବେ ଶୋଚନୀୟ । ବରିଡ଼ା ଠାରୁ ଚିଙ୍ଗୁଡ଼ିଖୋଲ ଯାଏଁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଛି । ଅସରାଏ ବର୍ଷା ହେଲେ ଖାଲରେ ପାଣି ଜମି ରାସ୍ତା ଆହୁରି ବିପଦସଙ୍କୁଳ ହୋଇପଡ଼ୁଛି। ପାଣି ଜମି ରହିବା ଯୋଗୁଁ ରାସ୍ତାର ଖାଲଖମା ଠିକ୍ ଭାବେ ଜଣାପଡ଼ୁନାହିଁ। ଫଳରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଗାଡ଼ି ଚାଳକଙ୍କ ପାଇଁ ରାସ୍ତାର ଅବସ୍ଥା ଚିନ୍ତାର କାରଣ ପାଲଟିଛି। ଲୋକଙ୍କ ଯାତାୟାତ ପାଇଁ ଏହା ଏକ ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଏହାର ମରାମତି ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ? ତାହାକୁ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ରାସ୍ତା ମରାମତି ସହ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

