ଖୋର୍ଦ୍ଧା,୨୦।୯(କେଦାର ନାଥ ସାହୁ):‘ସ୍ୱଚ୍ଛତା ହି ସେବା–୨୦୨୬’ ଅଭିଯାନର ଅଂଶ ଭାବେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ୧୭ ଓ ୧୮ ସେପ୍ଟେମ୍ବର ୨୦୨୬ରେ “ସ୍ୱଚ୍ଛ ପାଠଶାଳା–ସ୍ୱଚ୍ଛତା ପାଇଁ ଯୁବପିଢ଼ି” ଶୀର୍ଷକରେ ଦୁଇଦିନିଆ ସଚେତନତା ଓ ସମ୍ବେଦନଶୀଳତା ଅଭିଯାନ ଆୟୋଜିତ ହୋଇଥିଲା। ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ ଏବଂ ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ପ୍ରବନ୍ଧକ ଶ୍ରୀ ସମ୍ବିଦ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ, ରେଳ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା, ବୈଜ୍ଞାନିକ ଉପାୟରେ ଆବର୍ଜନା ପରିଚାଳନା, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକ ଆଚରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ମଣ୍ଡଳର ବିଭିନ୍ନ ବିଦ୍ୟାଳୟ, ରେଳ ଷ୍ଟେସନ, ରେଳବାଇ କଲୋନୀ ଓ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।୧୭ ସେପ୍ଟେମ୍ବରରେ ଖୋର୍ଦ୍ଧା ରୋଡ ସ୍ଥିତ ଉତ୍କଳ ପବ୍ଲିକ୍ ସ୍କୁଲ, ରେଳବିହାର କଲୋନୀସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟ ଏବଂ କଟକ ରେଳବାଇ ବିଦ୍ୟାଳୟରେ ସଚେତନତା ଓ ପ୍ରଦର୍ଶନୀ ମୂଳକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଆବର୍ଜନା ପରିଚାଳନା ନିୟମ, ୨୦୨୬, ବିଭିନ୍ନ ରଙ୍ଗର ଆବର୍ଜନା ପାତ୍ର ମାଧ୍ୟମରେ ଚାରି ପ୍ରକାର ଆବର୍ଜନାର ଆବର୍ଜନା ସୃଷ୍ଟି ହେଉଥିବା ସ୍ଥାନରେ ଆବର୍ଜନା ପୃଥକୀକରଣ ଦାୟିତ୍ୱପୂର୍ଣ୍ଣ ଆବର୍ଜନା ନିଷ୍କାସନ, ଜଳ ସଂରକ୍ଷଣ ଓ ବର୍ଷାଜଳ ସଂଗ୍ରହ ସମ୍ପର୍କରେ ସଚେତନ କରାଯାଇଥିଲା।ପୁରୀର ୱାଟର ୱାର୍କସ୍ ରୋଡ୍ ବିଦ୍ୟାଳୟରେ ‘ସ୍ୱଚ୍ଛତା ଜ୍ଞାନ ଯାତ୍ରା’ ଆୟୋଜିତ ହୋଇଥିଲା। ଏଥିରେ ଆବର୍ଜନା ପରିଚାଳନା, ପରିମଳ ବ୍ୟବସ୍ଥା, ଜୈବ ଶୌଚାଳୟ, ଉତ୍ସସ୍ଥଳରେ ଆବର୍ଜନା ପୃଥକୀକରଣ ଏବଂ ଜଳ ପୁନଃଚକ୍ରଣ ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।ଅଭିଯାନର ବାର୍ତ୍ତାକୁ ଅଧିକ ବ୍ୟାପକ କରିବା ପାଇଁ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ଟ୍ରେନ୍ ପରିଚାଳନା କେନ୍ଦ୍ର, ମଣ୍ଡଳ ରେଳ ଚିକିତ୍ସାଳୟ ସମେତ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, କଟକ, ବାଲୁଗାଁ, ଭଦ୍ରକ, ତାଳଚେର, ଅନୁଗୋଳ, ଯାଜପୁର କେନ୍ଦୁଝର ରୋଡ୍, ଛତ୍ରପୁର ଓ ପାରାଦୀପ ଆଦି ରେଳ ଷ୍ଟେସନ ଏବଂ କଲୋନୀରେ ସଚେତନତାମୂଳକ ବ୍ୟାନର ପ୍ରଦର୍ଶିତ କରାଯାଇଥିଲା ୧୮ ସେପ୍ଟେମ୍ବରରେ ଏହି ଅଭିଯାନ ବାଲୁଗାଁ ପ୍ରାଥମିକ ବିଦ୍ୟାଳୟ, ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ଯାଜପୁର ରୋଡସ୍ଥିତ ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା।କଟକ ରେଳବାଇ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନୂତନ ଷ୍ଟେସନ ଭବନ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ନିର୍ମାଣ ସ୍ଥଳର ଯନ୍ତ୍ରୀମାନେ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ର କାର୍ଯ୍ୟପ୍ରଣାଳୀ, ବର୍ଷାଜଳ ସଂଗ୍ରହ ଓ ଜଳ ସଂରକ୍ଷଣ ସମ୍ପର୍କରେ ବୁଝାଇଥିଲେ। ସ୍ୱାସ୍ଥ୍ୟ ନିରୀକ୍ଷକ ମାନେ ଆବର୍ଜନା ପରିଚାଳନା ଓ ଉତ୍ସସ୍ଥଳରେ ଆବର୍ଜନା ପୃଥକୀକରଣ ବିଷୟରେ ମଧ୍ୟ ସଚେତନ କରିଥିଲେ।ପୁରୀ ରେଳକୋଚ ପରିଚାଳନା କେନ୍ଦ୍ରରେ ରେଳ କର୍ମଚାରୀମାନେ ‘ସ୍ୱଚ୍ଛତା ଜ୍ଞାନ ଯାତ୍ରା’ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ର କାର୍ଯ୍ୟପ୍ରଣାଳୀ, ବର୍ଜ୍ୟଜଳ ବିଶୋଧନ ଏବଂ ବିଶୋଧିତ ଜଳକୁ ରେଳକୋଚ ଧୋଇବା କିମ୍ବା ନିୟମାନୁସାରେ ନିରାପଦ ଭାବେ ନିଷ୍କାସନ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।ରେଳବିହାର କଲୋନୀସ୍ଥିତ ରେଳବାଇ ବସତି ସରକାରୀ ବିଦ୍ୟାଳୟରେ ‘ସ୍ୱଚ୍ଛ ପାଠଶାଳା’ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏହା ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ବିଷୟରେ ଜାଣିବା ସହ ନିଜ ଜ୍ଞାନ ପ୍ରଦର୍ଶନ କରିବାର ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରିଥିଲା।ଦୁଇଦିନିଆ ଏହି ଅଭିଯାନ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ବ୍ୟବହାରିକ ଶିକ୍ଷାକୁ ଯୁବପିଢ଼ି ସହିତ ଯୋଡ଼ିବାରେ ସଫଳ ହୋଇଥିଲା। ଛାତ୍ରଛାତ୍ରୀମାନେ ଆବର୍ଜନା ପୃଥକୀକରଣ, ଦାୟିତ୍ୱପୂର୍ଣ୍ଣ ଆବର୍ଜନା ନିଷ୍କାସନ, ଜଳ ସଂରକ୍ଷଣ, ବର୍ଷାଜଳ ସଂଗ୍ରହ, ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ଗୁଡ଼ିକର କାର୍ଯ୍ୟପ୍ରଣାଳୀ ଏବଂ ଜଳ ପୁନଃଚକ୍ରଣ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ସେମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଅଭିଯାନ ପ୍ରତି ସେମାନଙ୍କ ସକାରାତ୍ମକ ସଂପୃକ୍ତିକୁ ପ୍ରତିଫଳିତ କରିଥିଲା।ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ବିଭିନ୍ନ ରେଳ ପ୍ରତିଷ୍ଠାନରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତାକୁ ଆହୁରି ସୁଦୃଢ଼ କରିବା ସହ ଦାୟିତ୍ୱପୂର୍ଣ୍ଣ ଆବର୍ଜନା ପରିଚାଳନା, ଉତ୍ସସ୍ଥଳରେ ଆବର୍ଜନା ପୃଥକୀକରଣ ଏବଂ ଜଳ ସଂରକ୍ଷଣ ପ୍ରତି ଦାୟିତ୍ୱବୋଧକୁ ବଢ଼ାଇଛି। ଏହି ଅଭିଯାନ ମାଧ୍ୟମରେ ‘ସ୍ୱଚ୍ଛତା ଏକ ସାମୂହିକ ଦାୟିତ୍ୱ’ ବାର୍ତ୍ତାକୁ ଆହୁରି ଦୃଢ଼ କରାଯାଇଥିବା ବେଳେ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତିଫଳିତ ହୋଇଛି।

