ବେଗୁନିଆପଡ଼ା,୨୦।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ଠାରୁ କୋଦଳା ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ରାସ୍ତାସାରା ଛୋଟବଡ଼ ଖାଲ ଖମା ଯାତାୟାତରେ ସୃଷ୍ଟି ହେଉଛି ସମସ୍ୟା । ବର୍ଷା ହେଲେ ଖାଲରେ ପାଣି ଜମି ଯାଉଥିବାରୁ କେଉଁଠି ରାସ୍ତା ଓ କେଉଁଠି ଖାଲ, ତାହା ଜାଣିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ବିଶେଷକରି ମର୍ଦ୍ଦକୋଟ ଠାରୁ ଚଢ଼ିଆପଡ଼ା ମଧ୍ୟରେ ରାସ୍ତାରେ ବଡ଼ବଡ଼ ଖାଲ ରହିଥିବାରୁ ଗାଡ଼ି ଚଳାଚଳ ବିପଦସଙ୍କୁଳ ହୋଇପଡ଼ିଛି। ସେହିପରି ଦିଗି ଠାରୁ କୋଦଳା ଯିବା ରାସ୍ତାରେ ମଧ୍ୟ ଅନେକ ସ୍ଥାନରେ ଖାଲ ଦେଖିବାକୁ ମିଳୁଛି। ଦିନକୁ ଦିନ ରାସ୍ତାର ଅବସ୍ଥା ଖରାପ ହେଉଥିବାବେଳେ ପ୍ରଶାସନର ନଜର କେବେ ପଡ଼ିବ ବୋଲି ପ୍ରଶ୍ନ ଉଠୁଛି। ଲୋକଙ୍କ ଯାତାୟାତ ଓ ସୁରକ୍ଷା ପ୍ରତି ଏଭଳି ଅବହେଳା କେତେଦିନ ଚାଲିବ? ରାସ୍ତା ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଛି ।

