ବୋଲଗଡ଼,୨୧।୯(ସୁଶାନ୍ତ କୁମାର ପ୍ରଧାନ):ଗ୍ରାମାଞ୍ଚଳରେ ବିଲମାଛ ବା ଚୁନାମାଛ ଦେଖିବା ଏବେ ସ୍ୱପ୍ନ ହୋଇଗଲାଣି। ବର୍ଷା ଦିନେ ଧାନ ଜମି, ନଈ-ନାଳ ଓ ବିଲରୁ ସହଜରେ ଦଣ୍ଡେଇ, କେରାଣ୍ଡି, କଣ୍ଟିଆ, ଜିମିକାଡି, ତୋଡ଼ି, ମାଗୁର, ଗଡ଼ିଶା, କଉ ଆଦି ଚୁନାମାଛ ମିଳିଯାଉଥିଲା। କିନ୍ତୁ ଏବେ ସେହି ଦୃଶ୍ୟ ଆଉ ନାହିଁ। ପୂର୍ବ ତୁଳନାରେ ବିଲରୁ ମାଛ ବହୁ ପରିମାଣରେ କମିଯାଇଛି। ପରିବେଶବିତ୍ ଓ ବିଶେଷଜ୍ଞଙ୍କ ମତରେ, ବଢୁଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନ, ମୌସୁମୀର ବିଳମ୍ବିତ ଆଗମନ, ଦ୍ରୁତ ନଗରୀକରଣ ଏବଂ ଜମିରେ ମାତ୍ରାଧିକ କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ଏହାର ମୁଖ୍ୟ କାରଣ ଯେବେଠାରୁ ହାଇବ୍ରିଡ୍ ଧାନ ଚାଷ ଆରମ୍ଭ ହେଲା, ଅଧିକ ଅମଳ ପାଇଁ ଚାଷୀ ଜୈବିକ ସାର ବଦଳରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର କରୁଛନ୍ତି। ଫଳରେ ମାଟି ଓ ପାଣି ବିଷାକ୍ତ ହୋଇ ବିଲର ଚୁନାମାଛ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି।ଏହାର ସିଧା ପ୍ରଭାବ ଗରିବ ପରିବାର ଉପରେ ପଡିଛି। ଡାକ୍ତରଙ୍କ ମତରେ, ବିଲ ମାଛରୁ ପ୍ରୋଟିନ୍ ଓ କ୍ୟାଲସିୟମ୍ ଭଳି ପୁଷ୍ଟିସାର ମିଳୁଥିଲା। ଏବେ ଏହା ନ ମିଳିବାରୁ ଗ୍ରାମାଞ୍ଚଳରେ ଅନେକ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ସମୟ ଥାଉ ଥାଉ ଜୈବିକ ଚାଷକୁ ପ୍ରୋତ୍ସାହନ ନ ଦେଲେ ଆଗାମୀ ପିଢ଼ି କେବଳ ବହିରେ ହିଁ ଏହି ଦେଶୀ ମାଛର ନାଁ ପଢିବେ ବୋଲି ଆଶଙ୍କା କରାଯାଉଛି।

