ଖଜୁରୀପଡ଼ା,୨୦।୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଦଳପଡ଼ା ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ସମୂହ ପରୀକ୍ଷଣ ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୨୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ସକାଳ ପ୍ରାୟ ୯ଟା ସମୟରେ ନିକଟସ୍ଥ ଶ୍ରୀକେରୀ ବନ ରାମହରି ଦୁର୍ଗା ମନ୍ଦିରରୁ ମଶାଲ ଅଣାଯାଇ ଖେଳପଡ଼ିଆରେ ସ୍ଥାପନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରି କ୍ରୀଡ଼ା ପରୀକ୍ଷଣର ଶୁଭାରମ୍ଭ କରିଥିଲେ। ଏହାପରେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡ଼ା ପରିଚାଳନାରେ ବିଚାରକ ଭାବେ ମେଡୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ ମଲ୍ଲିକ ଓ ନଗଲେଜୁ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବିଘ୍ନେଶ୍ୱର ପଣ୍ଡା ଦାୟିତ୍ୱ ତୁଲାଇଥିଲେ। କ୍ରୀଡ଼ା ସମ୍ପାଦକ ଭାବେ ଦଳପଡ଼ା ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଆର୍ ନୂଆଗାଁ ଖେଳ ଶିକ୍ଷକ ଶ୍ରୀ ବାଇଧର ବିଶ୍ୱାଳ, ଦୁଟିମେଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ତ୍ରିଲୋଚନ ନାୟକ ଓ ବୁଡ଼ାରାକାଡ଼ି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି ନାୟକ କ୍ରୀଡ଼ା ପରିଚାଳନା କରିଥିଲେ। ସମଗ୍ର କ୍ରୀଡ଼ା ପରିଚାଳନାର ତଦାରଖ ବ୍ଲକ କ୍ରୀଡ଼ା ସମ୍ପାଦକ ତଥା ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ାର ଖେଳ ଶିକ୍ଷକ ଶ୍ରୀ ରଙ୍କନିଧି ବେହେରା କରିଥିଲେ।ପରୀକ୍ଷଣରେ ଖୋ-ଖୋ, ଫୁଟବଲ, ଟେନିସ, କବାଡ଼ି, କ୍ରିକେଟ, ଭଲିବଲ, ସଟ୍ପୁଟ୍, ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ ସମେତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କ୍ରୀଡ଼ା ସମୂହ ପରୀକ୍ଷଣରେ ଦଳପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାମ୍ପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲମ୍ବାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଜୁରୀପଡ଼ା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ରଣପାଟୁଲି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆର୍ ନୂଆଗାଁ ଏବଂ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ାର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ସମାଜସେବୀ ଶ୍ରୀ ରମାକାନ୍ତ ମଲ୍ଲିକ, ପୂର୍ବତନ କନିଷ୍ଠ କିରାଣୀ ଶ୍ରୀ ଶଙ୍କର୍ଷଣ ଜାନୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଆୟୋଜକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜନାରାୟଣ ଦାସ, ଶ୍ରୀ ପ୍ରଦୀପ ପ୍ରଧାନ, ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା କାନୁନଗୋଙ୍କ ସମେତ ବିଦ୍ୟାଳୟ କର୍ମଚାରୀ କିଶୋର ଚନ୍ଦ୍ର କହଁର, ଅନନ୍ତ ଜାନୀ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

