ଚିକିଟି,୨୨।୯(ନିଗମାନନ୍ଦ ପଣ୍ଡା):ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଜନିତ ସମସ୍ୟା ଦୂର କରିବା ଉଦ୍ଦେଶ୍ୟ ନେଇ ଓଡିଶା ସରକାର ସମଗ୍ର ରାଜ୍ୟରେ ଚଳିତ ବର୍ଷ ଆରମ୍ଭ କରିଛନ୍ତି ନୟନ ଜ୍ୟୋତି କାର୍ଯ୍ୟକ୍ରମ। ଶିକ୍ଷା ବର୍ଷ ୨୦୨୬-୨୭ ରେ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟି ଙ୍କ ମିଳିତ ଆନୁକୂଲ୍ୟରେ ଚିକିଟି ବ୍ଲକ୍ ରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅଧୀନ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହେବା ଲକ୍ଷ୍ୟ ନେଇ ବ୍ଲକ୍ ସ୍ତରରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗତ ୨୧ ଓ ୨୨ ତାରିଖ ଦିନ ତିନୋଟି ପର୍ଯ୍ୟାୟରେ ରାଜକବି ରାଧାମୋହନ ବିଦ୍ୟାପୀଠ, ଚିକିଟି ଗଡ଼ ଓ ଝାଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସମସ୍ତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରୁ ମୋଟ ୧୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଶକ୍ତିକୁ ସ୍ନେଲେନ୍ ଚାର୍ଟ ସହାୟତାରେ କିପରି ପରୀକ୍ଷା କରାଯିବ, ଚକ୍ଷୁର ବିଭିନ୍ନ ରୋଗ ଓ ତାର ନିରାକରଣ ଉପରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ଶଲ୍ୟ ଚିକିତ୍ସକ ଏସ. ସିଦ୍ଧାର୍ଥ କୁମାର ବିସ୍ତୃତ ଭାବେ ବୁଝାଇ କହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପରୀକ୍ଷା କିପରି ଶୃଙ୍ଖଳାର ସହ ସମାପନ ହେବ, ପ୍ରଶସ୍ଥ ଆପ୍ ମାଧ୍ୟମରେ ଶିକ୍ଷକମାନେ ଯେପରି ଛାତ୍ରଛାତ୍ରୀମାନଙ୍କର ବ୍ୟବହାର ସମ୍ପର୍କିତ ତଥ୍ୟ ଠିକ୍ ଭାବରେ ପୂରଣ କରିବେ, ସେ ଉପରେ ବୁଝାଇ କହିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର୍.ସି.ସି ତ୍ରିନାଥ ମଲ୍ଲିକ, ସମସ୍ତ ସି.ଆର୍.ସି.ସି, ଅନ୍ତର୍ନିବେଶି ଶିକ୍ଷା ସ୍ଵେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ପୂର୍ବକ ବ୍ଲକ୍ ସ୍ତରୀୟ ନୟନ ଜ୍ୟୋତି କାର୍ଯ୍ୟକ୍ରମ ଆୟୋଜନ ବେଳେ ଶିବିରକୁ ଆଣିବାକୁ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫର୍ମ କିପରି ନିର୍ଭୂଲ ଭାବେ ପୂରଣ କରାଯିବ, ସେ ଉପରେ ବୁଝାଇ କହିଥିଲେ। ନୂଆପଡ଼ା କ୍ଲଷ୍ଟର ସି.ଆର୍.ସି.ସି କୁରେଶୁ ସାହୁ ଓ ଝାଟିପଦର କ୍ଲଷ୍ଟର ସି.ଆର୍.ସି.ସି ଏ. ଦମୟନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

