ବେଗୁନିଆପଡା,୨୫।୯(ବାପୁନି ମାଲୁ):ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା । ପାଞ୍ଚୋଟି ସଂରକ୍ଷିତ ଜଙ୍ଗଲକୁ ମିଶାଇ ଗଠିତ ହୋଇଛି ଏହି ଜଙ୍ଗଲ ।ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଲାଗିଛି ଏହାର ପରିସୀମା,ଯାହା ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ । ଶାଳ, ଶାଗୁଆନ, ପିଆଶାଳ, ବାଉଁଶ, ଚନ୍ଦନ ଭଳି ଅନେକ ମୂଲ୍ୟବାନ ଗଛରେ ଭରପୁର ଏହି ଦାମିଆ ବରବରା ଜଙ୍ଗଲ ଏବେ ଶ୍ରୀହୀନ ହେବାରେ ଲାଗିଛି ମନୁଷ୍ୟଙ୍କ ଅଜ୍ଞାନତା କାରଣରୁ । ଏକଦା ଅତ୍ୟନ୍ତ ଘଞ୍ଚ ଥିବା ଏହି ଜଙ୍ଗଲ ଦିନକୁ ଦିନ ପଦା ହେବାକୁ ଗଲାଣି କହିଲେ ଚଳେ । ଏହାର ବିଶାଳତା କାରଣରୁ ଏତେ ବଡ଼ ଜଙ୍ଗଲକୁ ବନ ବିଭାଗ ସୁରକ୍ଷା ଦେବା ସମ୍ଭବ ହେଉନାହିଁ ଯଦ୍ୱାରା କାଠ ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଛି । ୧୯୯୧ ରୁ ୨୦୧୩ ମସିହା ଯାଏଁ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ବନ ବିଭାଗ ସହିତ ସିଆରପିଏଫ (CRPF) ଯବାନ ନିୟୋଜିତ ହୋଇଥିଲେ ଏହି ଜଙ୍ଗଲରେ । ମାତ୍ର ଏବେ ଜଙ୍ଗଲ ସୁରକ୍ଷା ପାଇଁ ଆଉ CRPF ଯବାନ ନାହାନ୍ତି । ସିଆରପିଏଫ ଯବାନଙ୍କ ଅନୁପସ୍ଥିତି ଯୋଗୁଁ ବଡ଼ ବଡ଼ ମୂଲ୍ୟବାନ ଗଛ ସବୁ କାଟି ନେଉଛନ୍ତି କାଠ ମାଫିଆମାନେ । ସୂଚନା ଅନୁଯାଇ ୨୦୧୯ ମସିହାରେ ”ବରବରା” ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ଅବଶ୍ୟ ପରେ ବାରମ୍ବାର ସର୍ଭେ କରାଗଲା ହେଲେ, କିନ୍ତୁ ଏ ଯାଏଁ ତାହା ହୋଇ ପାରିଲା ନାହିଁ । ଅନ୍ୟପଟେ ଜଙ୍ଗଲକୁ ସୁରକ୍ଷା ଦେବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଜଙ୍ଗଲ ଅବକ୍ଷୟ ଯୋଗୁଁ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । ଗଞ୍ଜାମ, ଖୋର୍ଦ୍ଧା ଏଵଂ ନୟାଗଡ଼ ଜିଲ୍ଲାର ଐତିହ୍ୟ କହିଲେ ଏହି ବରବରା ଜଙ୍ଗଲକୁ ହିଁ ବୁଝାଉଥିବାବେଳେ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ । ଏହି ଜଙ୍ଗଲ ରେ ବିଭିନ୍ନ ପ୍ରଜାତିର ପଶୁ,ପକ୍ଷୀ,ସରୀସୃପ ମଧ୍ୟ ବସବାସ କରନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବାଲୁଗାଁ ରେଞ୍ଜ ଅଧୀନରେ ଏସିଆ ମହାଦେଶର ସର୍ବବୃହତ୍ତ ଶାଗୁଆନ ଜଙ୍ଗଲ ବରବରା ଅନ୍ତର୍ଭୁକ୍ତ ହେଲେ ଏବେ ଏହା ଅବକ୍ଷୟମୁଖି । କେବେ ମିଳିବ ଏହାକୁ ଅଭୟାରଣ୍ୟର ମାନ୍ୟତା ? ଏହାକୁ ନେଇ ପ୍ରକୃତିପ୍ରେମୀ ମାନଙ୍କ ମଧ୍ୟରେ ଉଠିଛି ପ୍ରଶ୍ନ ? ଦୃଷ୍ଟି ଦେବେ କି ଜନ ପ୍ରତିନିଧି ?

