ଭଞ୍ଜନଗର, ୧୯/୦୩ : (ନିଲୁ ବିଷୋୟୀ): ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଗୁରୁବାର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଯୋଗାଣକୁ ନେଇ ଉପଖଣ୍ଡ ସ୍ତରୀୟ ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରନ୍ଧନ ଗ୍ୟାସ୍ ସିଲିଣ୍ଡର ସରବରାହର ଅବ୍ୟବସ୍ଥା ଓ ବୁକିଂ ପ୍ରକ୍ରିୟା ତଥା ଅନ୍ୟ ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳରେ ରନ୍ଧନ ଗ୍ୟାସ ବିତରଣ ଚକ୍ରକୁ ୪୫ ଦିନ ବୃଦ୍ଧି ଓ ସହରାଞ୍ଚଳରେ ୨୫ ଦିନ ବୁକିଂ ର ବ୍ୟବଧାନ ରହିବ, ଯାହା ଘରୋଇ ପରିବାରମାନଙ୍କୁ ଅନିୟମିତ ସରବରାହରୁ ମୁକ୍ତ ରଖାଯିବ। ଆପାତକାଳୀନ ପରିସ୍ଥିତିରେ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି। ଭଞ୍ଜନଗର ଉପଖଣ୍ଡରେ ୨ ଲକ୍ଷ ୫୨ ହଜାର ୮୯୨ ଜଣ ଘରୋଇ ଓ ୧୦୫୩ ଜଣ ବାଣିଜ୍ୟିକ ଗ୍ୟାସ ଉପଭୋକ୍ତା ଥିବାବେଳେ ଶନିବାର ସୁଦ୍ଧା ଉପଖଣ୍ଡର ଆସିକା ରେ ୧୨୩୮ ଟି ଘରୋଇ ଓ ୧୮୮ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମହଜୁଦ ରହିଛି। ସେହିପରି ବେଲଗୁଣ୍ଠା ରେ ୪୪୧ଟି ଘରୋଇ ଓ ୪୫ଟି ବାଣିଜ୍ୟିକ, ଭଞ୍ଜନଗରରେ ୮୩୭ଟି ଘରୋଇ ଓ ୧ଟି ବାଣିଜ୍ୟିକ, ବୁଗୁଡାରେ ୪୪୨ଟି ଘରୋଇ ଓ ୭୯ଟି ବାଣିଜ୍ୟିକ, ଧରାକୋଟରେ ୫୦୪ଟି ଘରୋଇ ଓ ୬ଟି ବାଣିଜ୍ୟିକ, ଜଗନ୍ନାଥପ୍ରସାଦରେ ୭୪୨ଟି ଘରୋଇ ଓ ୧୬୬ଟି ବାଣିଜ୍ୟିକ, ଶେରଗଡରେ ୫୧୮ଟି ଘରୋଇ ଓ ଗୋଟିଏ ବାଣିଜ୍ୟିକ ଏବଂ ସୋରଡ଼ାରେ ୩୬୪ଟି ଘରୋଇ ଓ ୧୫ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମହଜୁଦ୍ ରହିଛି। ଉପଖଣ୍ଡ ରେ ପ୍ରଚୁର ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। ଗ୍ୟାସ କଳାବଜାରୀ କଲେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି। ବୈଠକ ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରରାଜ ସାମନ୍ତରା ଓ ଉପଖଣ୍ଡ ର ସମସ୍ତ ଯୋଗାଣ ନିରୀକ୍ଷକ ଉପସ୍ଥିତ ରହିଥିଲେ।

