ବୁଗୁଡ଼ା,୨୯।୫,(ଡ.କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ସହରର ମୁଖ୍ୟ ସଡ଼କ ସମେତ ବିଭିନ୍ନ ଛକରେ ଯାନବାହାନ ଚଳାଚଳ ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବୁଗୁଡ଼ା ମୁଖ୍ୟ ରାସ୍ତାରେ ଦୈନିକ ଶତାଧିକ ଯାନବାହାନ ଚଳାଚଳ ହେଉଥିବା ବେଳେ ବ୍ୟବସାୟୀମାନେ ରାସ୍ତା କଡ଼ରେ ବେପାର ଜମାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ଯାନବାହାନ ଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରିବାରେ ଦୀର୍ଘ ସମୟ ଲାଗିଯାଉଛି ଏବଂ ଅଯଥା ପାଟିତୁଣ୍ଡ ସାଙ୍ଗକୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ବେଳେ ବେଳେ ଏହି ଟ୍ରାଫିକ ସମସ୍ୟାରେ ଫସି ଯାଉଛି । ଏହି ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଏନ୍ଏସି ଏବଂ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ମଦନ ମୋହନ ଛକ ଠାରୁ ବଡ ଶଙ୍ଖ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଡିଭାଇଡର ନିର୍ମାଣ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଜବରଦଖଲ ଉଚ୍ଛେଦ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହୋଇ ପାରୁନି ତାହା ଆଶ୍ଚର୍ଯ୍ୟର ବିଷୟ ହୋଇପଡିଛି । ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାର ପ୍ରତିକାର ପାଇଁ ସାଧାରଣରେ ଦୃଢ ଦାବୀ ହେଉଛି । ଖୋଦ୍ ମନ୍ତ୍ରୀଙ୍କ ଅଞ୍ଚଳରେ ଡିଭାଇଡର ନିର୍ମାଣ ହୋଇ ନପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜନସାଧାରଣଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ହେଉଥିବା ଜଣାପଡିଛି ।

